ନୂଆଦିଲ୍ଲୀ ( ଏଜେନ୍ସି ) : ମହାମାରୀ କରୋନା ପାଇଁ ବିଶ୍ୱବ୍ୟାପୀ ଲକଡାଉନ ଭଳି ସ୍ଥିତି ପାଇଁ ଜର୍ମାନୀରେ ୩ ମାସଧରି ଫସି ରହିଥିବା ପୂର୍ବ ବିଶ୍ୱ ଚେସ ଚମ୍ପିଆନ ବିଶ୍ୱନାଥ ଆନନ୍ଦ ଶେଷରେ ଭାରତ ଫେରିଛନ୍ତି। ଏୟାର ଇଣ୍ଡିଆ ବିମାନ ଯୋଗେ ଶନିବାର ବେଙ୍ଗାଲୁରରେ ପହଂଚିବା ପରେ ଶ୍ରୀ ଆନନ୍ଦ ଖୁସି ବ୍ୟକ୍ତ କରିଛନ୍ତି। ଗତ ଫେବୃଆରୀ ମାସରେ ବୁନ୍ଦେସଲିଗ ଚେସ ଲିଗ ଖେଳିବାକୁ ଶ୍ରୀ ଆନନ୍ଦ ଜର୍ମାନୀ ଯାଇଥିଲେ। ସେ ମାର୍ଚ୍ଚରେ ଭାରତ ଫେରିଥାନ୍ତେ। ମାତ୍ର କରୋନା ମହାମାରୀ ପାଇଁ ଅଧିକାଂଶ ଦେଶରେ କଟକଣା ଲାଗିଗଲା। ଯେଉଁଥିପାଇଁ ଖେଳ ମଧ୍ୟ ବନ୍ଦ ହୋଇଗଲା। ବିମାନ ଚଳାଚଳ ବନ୍ଦ ଥିବା ଯୋଗୁ ଶ୍ରୀ ଆନନ୍ଦ ସେଠାରେ ଫସି ରହିଥିଲେ। ଶନିବାର ଏୟାର ଇଣ୍ଡିଆ ବିମାନରେ ଦିଲ୍ଲୀ ଓ ସେଠାରୁ ବେଙ୍ଗାଲୁର ଯାଇଥିଲେ। ତାଙ୍କ ପତ୍ନୀ ଅରୁଣା କହିଛନ୍ତି ଯେ, ଶ୍ରୀ ଆନନ୍ଦ ଭାରତ ଫେରି ଖୁସି ବ୍ୟକ୍ତ କରିଛନ୍ତି। ବିଦେଶରୁ ଫେରିଥିବାରୁ ଶ୍ରୀ ଆନନ୍ଦଙ୍କୁ ସଂଗରୋଧରେ ରହିବାକୁ ପଡିବ। ପରୀକ୍ଷା ପରେ କରୋନା ସଂକ୍ରମଣ ନଥିବା ଜଣାପଡିଲେ ତାଙ୍କୁ ଆଉ ୭ ଦିନ ସଂଗରୋଧରେ ରହିବାକୁ ପଡିବ। ତା’ପରେ ୧୪ ଦିନ ଶ୍ରୀ ଆନନ୍ଦ ଘରେ ଅଲଗା ରହିବେ ବୋଲି କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।