କୋଲକାତା ( ଏଜେନ୍ସି ) : ପ୍ରାୟ ଦୁଇମାସ ଲକଡାଉନ୍ ପରେ ଏବେ ଧୀରେ ଧୀରେ ଲକଡାଉନକୁ କୋହଳ କରାଯାଉଛି। ବର୍ତ୍ତମାନ ଲାଗୁ ହୋଇଥିବା ଅନଲକ୍-୧ରେ ଦେଶର ଅନେକ ରାଜ୍ୟରେ ଚଳପ୍ରଚଳ ପାଇଁ ଅନୁମତି ଦିଆଯିବା ସହ ଜରୁରୀ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି। ଦୁଇ ମାସ ଧରି ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରିର ଶୁଟିଂ ମଧ୍ୟ ବନ୍ଦ ରହିଥିଲା। ଏନେଇ ପଶ୍ଚିମବଙ୍ଗ ସରକାର ଜୁନ୍ ୧୦ ରୁ ଏକ ବଙ୍ଗଳା ଟିଭି ସିରିଏଲ୍ ଶୁଟିଂ କରିବାକୁ ନେଇ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ ମନ୍ତ୍ରୀ ଅରୁପ ବିଶ୍ୱ କହିଛନ୍ତି ଯେ, ବଙ୍ଗଳା ଟିଭି ସିରିଏଲର ଶୁଟିଂ ଜୁନ୍ ୧୦ ରୁ ଆରମ୍ଭ ହେବ। ତେବେ ଏହି ସମୟ ମଧ୍ୟରେ ଶିଶୁ କଳାକାରମାନଙ୍କୁ ଅନୁମତି ଦିଆଯିବ ନାହିଁ। ଏଥିସହ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ପଡିବ। ଅରୁପ ବିଶ୍ୱ ହେଉଛନ୍ତି ରାଜ୍ୟର ପିଡବ୍ଲ୍ୟୁଡି, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ। ସେମାନେ ମନୋରଞ୍ଜନ ଶିଳ୍ପର ମଧ୍ୟ ଦାୟିତ୍ବ ନିର୍ବାହ କରୁଛନ୍ତି।