କଟକ ( ସଂଘର୍ଷ ମିଡିଆ ) : ଗ୍ୟାଙ୍ଗଷ୍ଟାର ଡି ବ୍ରଦର୍ସ୍ ଙ୍କ ୩ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ କଟକ ଜେ ଏମ୍ ଏଫ୍ ସି କୋର୍ଟରେ ଆଜି ଦୁଇଭାଇଙ୍କୁ ହାଜର କରାଯାଇଛି। ଦୁଇଭାଇ ସୁଶାନ୍ତ ଓ ସୁଶୀଲ୍ ଧଳସାମନ୍ତ ଙ୍କୁ କଡା ସୁରକ୍ଷା ବଳୟରେ ପୋଲିସ୍ ଭ୍ୟାନ୍ ରେ ଅଣାଯାଇଥିଲା। ବେଆଇନ୍ ଓ ଚୋରା ବନ୍ଧୁକ କାରାବାର ନେଇ ୩ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ୍ ରେ ଆବେଦନ କରିଥିଲା କମିସନରେଟ୍ ପୋଲିସ୍। ଅଦାଲତଙ୍କ ଠାରୁ ଅନୁମତି ପାଇଲା ପରେ ୩ ଦିନିଆ ରିମାଣ୍ଡରେ ନେଇ କାରାବାର ସମ୍ପର୍କରେ ଖୋଳତାଡ଼ କରିଥିଲା ପୋଲିସ୍। ୩ ଦିନ ଧରି ଦୁଇଭାଇଙ୍କୁ ଘରକୁ ନେଇ ଯାଞ୍ଚ କରିଥିଲା। ଆଉ ଶେଷରେ ଘରର ମାଷ୍ଟର ବେଡ୍ ରୁମ୍ ସମେତ ଗୁପ୍ତ ଚାମ୍ବରରୁ ନଗଦ ଲକ୍ଷ ଲକ୍ଷ ଟଙ୍କା ସହ ମାଉଜର,ମାଗାଜିନ୍ ଓ ଗୁଳି ବାହାରିଥିଲା। ଜେଲ୍ ରେ ଥାଇ ବି ନିଜର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିବା ଉଦ୍ଦେଶ୍ୟରେ ହିଁ ଏହିସବୁ କାରାବାର ଚଳାଉଥିଲା ବୋଲି ପ୍ରମାଣ ପାଇଥିଲା ପୋଲିସ୍। ତେବେ ଆଉ କେଉଁ ଗ୍ୟାଙ୍ଗଷ୍ଟାର ସମ୍ପୃକ୍ତ ଅଛନ୍ତି ନା ନାହିଁ ସେ ବିଷୟରେ ଖୋଳତାଡ଼ କରୁଛି ପୋଲିସ୍। ତେବେ ଦୁଇ ଭାଇଙ୍କୁ ପୁଣିଥରେ ରିମାଣ୍ଡରେ ଆଣିବା ପାଇଁ ଅନୁମତି ମାଗିବ ନା ନାହିଁ ସେ ସମ୍ପର୍କରେ କୌଣସି ତଥ୍ୟ ପୋଲିସ୍ ପକ୍ଷରୁ ମିଳିନାହିଁ। କୋର୍ଟ୍ ରେ ହାଜର ପରେ ବଡ଼ଭାଇ ସୁଶାନ୍ତକୁ ଭୁବନେଶ୍ୱର ଝାରପଡା ଜେଲ୍ ଏବଂ ସାନଭାଇ ସୁଶୀଲ୍ ଧଳସାମନ୍ତ ଙ୍କୁ ବଲାଙ୍ଗୀର ଜେଲ୍ କୁ ପୁନର୍ବାର ପଠାଇ ଦିଆଯାଇଛି। କଟକରୁ ସୁରେଶ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।