ଶଙ୍ଖ ଛାଡ଼ିଲେ ସନ୍ତୋଷ

114

Get real time updates directly on you device, subscribe now.

ସୁନ୍ଦରଗଡ଼ (ସଂଘର୍ଷ ମିଡିଆ) : – ସବୁଦିନ ପାଇଁ ବିଜେଡିକୁ ବାଏ ଵାଏ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ ନେତା ସନ୍ତୋଷ ଅମାତ । ସେ ତାଙ୍କ ଇସ୍ତଫା ପତ୍ର ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ନିଜ ଇସ୍ତଫାର କାରଣ ସମ୍ପର୍କରେ ସେ କିଛି ଉଲ୍ଲେଖ କରି ନାହାନ୍ତି । ହେଲେ  ଦଳ ତାଙ୍କୁ ଟିକେଟ ଦେଇନି ବୋଲି ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବାର ଆଶଙ୍କା କରାଯାଉଛି । ଅନ୍ୟପଟେ ସନ୍ତୋଷ ନିଜ ପ୍ରତିକ୍ରିୟାରେ ଚଳିତ ନିର୍ବାଚନରେ ସୁନ୍ଦରଗଡ଼ ଲୋକସଭା ହେଉ କି ବିଧାନସଭା ବିଜେଡ଼ି ତାଙ୍କୁ ପ୍ରାର୍ଥୀ ନ କରିବା ବା ଅନ୍ୟ କୌଣସି ସମ୍ମାନଜନକ ପଦରେ ଥଇଥାନ ନକରି ଅଣଦେଖା କରିଦେବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି।
ସୂଚନା ଅନୁସାରେ , ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ଦଳ ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କୁ ଓ ଲୋକସଭାରେ ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିବା ପରେ ସନ୍ତୋଷ ନିରାଶ ହୋଇଥିଲେ । ଖବର ମୁତାବକ ,ବରିଷ୍ଠ ନେତା ସନ୍ତୋଷ ଅମାତ ଓଡ଼ିଶା ପ୍ରାଶାସନିକ ସେବାରୁ ରାଜନୀତି ମଇଦାନକୁ ଆସିଥିଲେ । ୨୦୧୪ ରେ ବିଜେପିରୁ ସେ ତଳସରା ବିଧାନସଭା କ୍ଷେତ୍ରରେ ଲଢ଼ି କଂଗ୍ରେସର ଡ.ପ୍ରଫୁଲ୍ଲ ମାଝିଙ୍କ ଠାରୁ ପରାଜିତ ହୋଇଥିଲେ । ପରବର୍ତ୍ତୀ ସମୟରେ ବା ୨୦୧୭ ମାର୍ଚ୍ଚରେ ସେ ଭାରତୀୟ ଜନତା ପାର୍ଟି କୁ ଛାଡ଼ି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଓଡ଼ିଶାରେ ରାଜ୍ୟ ସରକାର ତାଙ୍କୁ ଦଳର ପ୍ରବକ୍ତା ଭାବେ ନିଯୁକ୍ତି ଦେଇଥିଲେ । ପରେ ସେହି ବର୍ଷ ପ୍ରତିଷ୍ଠିତ ହୋଇଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତ କରାଯାଇଥିଲା । ହଠାତ୍ ୨୦୧୮ ରେ ତାଙ୍କୁ ଅଧ୍ୟକ୍ଷ ପଦ ଛାଡ଼ିବାକୁ ଦଳ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା ।  ସେ ତୁରନ୍ତ ନିଜ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ପୂର୍ବରୁ ଚର୍ଚ୍ଚା ହେଉଥିଲା କି ଦଳ ତାଙ୍କୁ ସେହି ନିର୍ବାଚନରେ ଲୋକସଭା ପ୍ରାର୍ଥୀ କରିବ ।  ଏପରିକି  ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରରେ ଶ୍ରୀ ଅମାତ ନିଜର ଲୋକ ସମ୍ପର୍କ ଅଭିଯାନ ଆରମ୍ଭ କରି ଦେଇଥିଲେ । କିନ୍ତୁ ଦଳ ତାଙ୍କୁ ନିରାଶ କରିଦେଲା । ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ବଡ଼ ଝିଅ ସୁନିତା ବିଶ୍ବାଳଙ୍କୁ ପ୍ରାର୍ଥୀ କରିଥିଲା । ସେତେବେଳେ ସନ୍ତୋଷଙ୍କୁ ଏକ ବଡ଼ ଝଟକା ଲାଗିଥିଲା  । କିନ୍ତୁ ଚଳିତ ନିର୍ବାଚନରେ ଏଥର ସୁନ୍ଦରଗଡ଼ ବିଧାନସଭା ହେଉ କି ଲୋକସଭା ନିର୍ବାଚନ ହେଉ ସନ୍ତୋଷ  ଲଢ଼ିବାକୁ ଚାହୁଁଥିଲେ । କିନ୍ତୁ ଦଳ ତାଙ୍କୁ ପ୍ରାର୍ଥୀ ନକରି ପୁନର୍ବାର ଝଟକା ଦେଇଥିବାରୁ ଶ୍ରୀ ଅମାତ କ୍ଷୁବ୍ଧ ହୋଇ ଦଳ ଛାଡ଼ିଥିବାର ବିଭିନ୍ନ ରାଜନୈତକ ମହଲରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More