ପୁରୀ(ସଂଘର୍ଷ ମିଡିଆ) : – ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟସ୍ତରୀୟ ସମସ୍ତ ପ୍ରମୁଖ ନେତାଙ୍କ ସହ ଶହ ଶହ କଂଗ୍ରେସ କର୍ମୀ ଏହି ବିଶାଳ ପଦଯାତ୍ରାରେ ସାମିଲ ହୋଇଛନ୍ତି। ଶ୍ରୀମନ୍ଦିର ଚାରିଦ୍ବାର ଭକ୍ତଙ୍କ ପାଇଁ ତୁରନ୍ତ ଖୋଲିବା, ରତ୍ନଭଣ୍ଡାର ଖୋଲି ଏହାର ଗଣତି, ମଣତି ଓ ମରାମତି କରିବା, ଶ୍ରୀଜଗନ୍ନାଥଙ୍କ ଜମିରେ ବସବାସ କରୁଥିବା ପୁରୀ ସହରବାସୀଙ୍କୁ ଜମି ପଟ୍ଟା ପ୍ରଦାନ କରିବା ଏବଂ ପୁରୀ ବେଲଦଳ ଠାରେ ଶହ ଶହ ଏକର ଚାଷଜମି ଦଖଲକୁ ନେଇଥିବା ବେଦାନ୍ତ କମ୍ପାନୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତୁରନ୍ତ ଜମି ଚାଷୀଙ୍କୁ ଫେରସ୍ତ କରିବା ଏଭଳି ଚାରୋଟି ଦାବି ନେଇ ଏହି ପଦଯାତ୍ରା କରିଥିଲା କଂଗ୍ରେସ। ତେବେ ଏହି ବିଶାଳ ଶୋଭାଯାତ୍ରା ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ କଂଗ୍ରେସର ବରିଷ୍ଠ ନେତାଙ୍କୁ ପୋଲିସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟିବାକୁ ବାରଣ କରିଥିଲା। ଫଳରେ କଂଗ୍ରେସ କର୍ମୀ ଉତ୍ୟକ୍ତ ହୋଇ ପୋଲିସ କର୍ମଚାରୀଙ୍କୁ ପେଲା ଠେଲା କରିବା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଧସେଇ ପଶିଥିଲେ। ପରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ସମସ୍ତ ଦାବି ପୂରଣ କରିବା ପାଇଁ ଅନୁରୋଧ କରିଥିଲେ। ଦାବି ପୂରଣ ନହେଲେ କଂଗ୍ରେସ ଆହୁରି ବ୍ୟାପକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି କଂଗ୍ରେସ। ଶୋଭାଯାତ୍ରା ପୂର୍ବରୁ ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ କଂଗ୍ରେସର ପ୍ରଥମେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରାକୁ ସଫଳ କରିବା ପାଇଁ ଶହ ଶହ କଂଗ୍ରେସ କର୍ମୀଙ୍କୁ ଆହ୍ବାନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ କଂଗ୍ରେସର ତୁଙ୍ଗ ନେତା ଯୋଗଦେଇ। ପରେ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଯାଏଁ ଦୁଇ କିଲୋମିଟର ପାରମ୍ପରିକ ସଂକୀର୍ତ୍ତନ ମଣ୍ଡଳୀ ସହ ପଦଯାତ୍ରାରେ ବାହାରିଥିଲେ। ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି କଂଗ୍ରେସର ଦାବିକୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇ ବୈଠକର ନିଷ୍ପତ୍ତି ଅନୁଯାୟୀ ଯାହାକିଛି ପଦକ୍ଷେପ ନିଆଯିବ।