ଗଜପତି(ସଂଘର୍ଷ ମିଡିଆ) : – କେବଳ ଆନ୍ଧ୍ରକୁ ଖୁସି କରିବାକୁ ୱାଲଟିଅର ଡିଭିଜନକୁ ଇଷ୍ଟକୋଷ୍ଟ ରେଲ୍ୱେ ଜୋନ୍ରୁ କାଢି ନେଉଛି କେନ୍ଦ୍ର ।ରାୟଗଡା ଠାରେ ଏକ ନୂଆ ରେଳ ଡିଭିଜନକୁ ବିଜୁ ଜନତା ଦଳ ସ୍ୱାଗତ କରିଥିବା ବେଳେ ୱାଲଟିଅର ଡିଭିଜନକୁ ଇଷ୍ଟକୋଷ୍ଟ ରେଲ୍ୱେ ଜୋନ୍ରୁ କାଢି ନେବା ନିଷ୍ପତ୍ତିକୁ ବିଜୁ ଜନତା ଦଳ ବିରୋଧ କରିଛି। ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ମୁଖପାତ୍ର ଭୃଗୁ ବକ୍ସିପାତ୍ର, ବିଧାୟକ ରୁପେଶ ପାଣିଗ୍ରାହୀ ପୂର୍ବତନ ସାଂସଦ ପ୍ରଦୀପ ମାଝୀ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଓଡିଶାକୁ କ୍ଷତି ପହଞ୍ଚାଇବ ବୋଲି କହିବା ସହିତ ଓଡ଼ିଶାର ଡବଲ ଇଂଜିନ ସରକାର ଏହି ପ୍ରସଙ୍ଗରେ ନିରବ କାହିଁକି ବୋଲି ପ୍ରଶ୍ନ କରିଥିଲେ। ଏହି ଅବସରରେ ଶ୍ରୀ ବକ୍ସିପାତ୍ର କହିଥିଲେ, ୱାଲଟିଅର ଡିଭିଜନ ଇଷ୍ଟକୋଷ୍ଟ ରେଲ୍ୱେ ଜୋନ୍ରେ ପ୍ରମୁଖ ରାଜସ୍ୱ ପ୍ରଦାନ କରି ଆସୁଥିବା ବେଳେ, କେବଳ ଆନ୍ଧ୍ରକୁ ଖୁସି କରିବା ପାଇଁ ଏଭଳି ନିଷ୍ପତ୍ତି ନିଆ ଯାଇଛି। ରାୟଗଡା ଠାରେ ଏକ ନୂତନ ରେଳ ଡିଭିଜନ ହେବାର ନିଷ୍ପତ୍ତିକୁ ବିଜୁ ଜନତା ଦଳ ସ୍ୱାଗତ କରୁଛି, କିନ୍ତୁ ୱାଲଟିଅର ଡିଭିଜନକୁ ଭାଗ ଭାଗ କରି ସିଂହଭାଗ ରାଜସ୍ୱ ଯୋଗାଉ ଥିବା ଇଷ୍ଟକୋଷ୍ଟ ରେଲ୍ୱେ ଜୋନ୍ ହାତରୁ କାଢି ନେବା ଗ୍ରହଣୀୟ ନୁହେଁ। ଇଷ୍ଟକୋଷ୍ଟ ରେଲ୍ୱେ ଜୋନ୍ ଦେଶର ଥିବା ସମସ୍ତ ରେଳ ଜୋନ ଗୁଡିକ ଭିତରୁ ସବୁଠାରୁ ଲାଭ ଉପାର୍ଜନ କାରୀ ସଂସ୍ଥା। ୱାଲଟିଅର ଡିଭିଜନକୁ ଭାଙ୍ଗି ଦେଇ ଏହାର ସିଂହ ଭାଗ କାଢି ନେବା ପରେ ଇଷ୍ଟକୋଷ୍ଟ ରେଲ୍ୱେ ଜୋନ୍ ଆଉ ଏକ ଲାଭ ଉପାର୍ଜନ କାରୀ ସଂସ୍ଥା ହୋଇ ରହି ନପାରେ। ରେଳ ବିଭାଗର ବିଭିନ୍ନ ଜୋନ୍ ଗୁଡିକ ରାଜ୍ୟର ପରିସୀମାକୁ ନେଇ ଗଠିତ ହୋଇନଥାଏ, କିନ୍ତୁ କେବଳ ଆନ୍ଧ୍ରକୁ ଖୁସି କରିବା ପାଇଁ କେନ୍ଦ୍ର ସରକାର ଏପରି କରିଛନ୍ତି। ସେହି ନ୍ୟାୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଯଥା ରାଉରକେଲା, ଝାରସୁଗୁଡା, ବେଲପାହାଡ, କେନ୍ଦୁଝର, ବଡବିଲ, ମୟୂରଭଞ୍ଜ ଓ ବାଲେଶ୍ୱର ଇତ୍ୟାଦି ସାଉଥ ଇଷ୍ଟର୍ଣ୍ଣ ରେଲ୍ୱେ ଜୋନ୍ରୁ କାଢି ନେଇ ଇଷ୍ଟକୋଷ୍ଟରେ ମିଶାଇବାକୁ ବିଜୁ ଜନତା ଦଳ ଦାବି କରୁଛି।