୧୫ ହଜାର ଟଙ୍କା ଜୋରିମାନା ନଦେବାରୁ ବିଧବା ମହିଳାଙ୍କୁ ଗାଁରୁ ବାସନ୍ଦ

13

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ବର୍ତ୍ତମାନର ଡିଜିଟାଲ ଇଣ୍ଡିଆ ଯୁଗରେ ଆଦିବାସୀ ସମାଜରେ ସଚେତନତା ଅଭାବରୁ ବିଭିନ୍ନ ଗାଁ ଗୁଡିକରେ ପରିବାର ମାନେ ନିର୍ଯାତନାର ଶିକାର ହେଉଛନ୍ତି। ଗାଁରେ ଗ୍ରାମର ମୁଖ୍ୟ ଓ ଗ୍ରାମବାସୀ ଲୋକ ମାନେ ମିଶି କଙ୍ଗାରୁ କୋର୍ଟ ବସାଇ ମନଇଚ୍ଛା ଅର୍ଥଦଣ୍ଡ ଦେଉଥିବା ଭଳି ଘଟଣା ଦେଖିବାକୁ ମିଳୁଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯେତେ ସଚେତନତା କଲେ ମଧ୍ୟ ସେହି ଘଟଣା ବାରମ୍ବାର ଘଟିଆସୁଛି ।ଏପରିକି ଜୋରିମାନା ଟଙ୍କା ନ ଦେଲେ ପୀଡ଼ିତ କିମ୍ବା ପୀଡ଼ିତାକୁ ସାମାଜିକ ବାସନ୍ଦ ହୋଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବାକୁ ମଧ୍ୟ ପଛାଉ ନାହାନ୍ତି । ଏଭଳି ଅନେକ ଅପରାଧିକ ଘଟଣା ଗୁଡିକ ଗାଁ ରେ ହିଁ ଚାପି ହୋଇ ରହିଯାଇଥାଏ। ଲୋକେ ଗ୍ରାମବାସୀଙ୍କ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ନଥାନ୍ତି। ସରପଞ୍ଚ, ସ୍ଥାନୀୟ ନେତା, ଜନପ୍ରତିନିଧି ମାନେ ଏପରି ଘଟଣା ଶୁଣି ମଧ୍ୟ ଏହି ପ୍ରକାର ଘଟଣା ସମ୍ପର୍କରେ ଗୁରୁତ୍ୱ ଦେଉ ନାହାନ୍ତି। ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିଜାତଳା ବ୍ଲକ ମଢେଇକଚା ଗ୍ରାମ ପଞ୍ଚାୟତର କୁମାରଡୁଵି ଗ୍ରାମରେ। ଜଣେ ବିଧବା ମହିଳା ଦୀର୍ଘ ଦୁଇ ବର୍ଷ ଠାରୁ ସାମାଜିକ ବାସନ୍ଦ ହୋଇ ନିର୍ଯାତିତ ହୋଇ ଆସୁଛନ୍ତି। ଶେଷରେ ବାଧ୍ୟ ହୋଇ ଆଇନର ଆଶ୍ରୟ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗାଁ ର ଜଣେ ଜୈନେକ ବ୍ୟକ୍ତିଙ୍କ ସହିତ ଜଣେ ବିଧବା ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ଥିବା କହି କଙ୍ଗାରୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ସେତିକିରେ ଘଟଣାକୁ ସମାପ୍ତ ନକରି ମହିଳାଙ୍କ ଚାଷଜମି ଛଡାଇବା ସହ ଅନ୍ୟକୁ ଠିକାରେ ଦେଇ ଜୋରିମାନା ଟଙ୍କା ଆଦାୟ କରିଛନ୍ତି ବୋଲି ପୀଡିତା ମହିଳା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ବିଜାତଳା ବ୍ଲକ ଅଂଚଳ ମଢେଇକଚା ଗ୍ରାମ ପଂଚାୟତର କୁମ୍ଭାରଡୁବି ଗାଁର ମହିଳା ଛିତା ମୁର୍ମୁ (୫୬), ତାଙ୍କ ସ୍ବାମୀ ଲେଢ଼ା ମୁର୍ମୁ ୧୭ ବର୍ଷ ପୂର୍ବରୁ ଅଜଣା ରୋଗରେ ପିଡିତ ହୋଇ ମୃତ୍ୟୁବରଣ କରିବା ପରେ ସେ କୁମାରଡୁବିର ପଠାତୁ ମାଝୀ, ପିତା ସିଙ୍ଗ ମାଝୀଙ୍କ ଠାରେ ଆଶ୍ରୟ ନେଇଥିଲେ। ମହିଳା ଛିତା ମୁର୍ମୁଙ୍କ ଚାରି ଗୋଟି ସନ୍ତାନ ରହିଥିଲେ । ସେଥିରୁ ଦୁଇ ଜଣ କନ୍ୟା ଓ ଦୁଇ ଜଣ ପୁତ୍ର ସନ୍ତାନ ରହିଛନ୍ତି । ଝିଅ ଏବଂ ପୁଅ ମାନଙ୍କ ବିବାହ ହୋଇ ଯାଇଛି। ବିଗତ ବର୍ଷ ଜୁଲାଇ ୨୦୨୨ ମସିହାରେ ଏହି ଗାଁ ର ମୁଷ୍ଟିମେୟ କିଛି ଲୋକ ଷଡଯନ୍ତ୍ର କରି ତାଙ୍କର ପଡୋଶୀଙ୍କ ସହ ଅନୈତିକ ସମ୍ପର୍କ ଅଛି କହି କଙ୍ଗାରୁ କୋର୍ଟରେ ବିଚାର କଲେ ଓ ଗାଁ ଲୋକମାନେ ୧୫ ହଜାର ଟଙ୍କା ଜୋରିମାନା ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ତାଙ୍କ ନିଷ୍ପତିକୁ ମହିଳା (ଛିତା)ଜଣକ ମାନି ନ ଥିଲେ ଏବଂ ଜୋରିମାନା ଟଙ୍କା ଦେବା ପାଇଁ ଅସମର୍ଥ ଥିବାରୁ ବିରୋଧ କରିଥିଲେ। ଉକ୍ତ ମାମଲାର ସମାଧାନ ନ ହେବାରୁ ଖେଜୁରୀ ଗାଁର ମାଝୀ ପାରଗାନା, ଆସେକା ରାଇରଙ୍ଗପୁର ହସ୍ତକ୍ଷେପ କରିବା ପରେ ମଧ୍ୟ ମାମଲାର ସମାଧାନ ହୋଇ ପାରିନଥିଲା। ଶେଷରେ ଗାଁର କିଛି ଲୋକେ ମହିଳା ଜଣକ ଜୋରିମାନା ଟଙ୍କା ଦେଇ ନ ପାରିବାରୁ ତାଙ୍କ ପିତାଙ୍କ ଟିକଟଭୁକ୍ତ ପ୍ରାୟ ଚାରି ଏକରରୁ ଅଧିକ ଚାଷଜମିକୁ ଅଲଗା ଲୋକ ପାଖରେ ୩ ବର୍ଷ ପାଇଁ ୧୩ ହଜାର ଟଙ୍କାରେ ବନ୍ଧା ଦେଇଥିଲେ ଏବଂ ଜୋରିମାନା ଟଙ୍କା ଆଦାୟ କରି ଭୋଜି ଭାତ ମଧ୍ୟ କରିଥିଲେ। ଏହା ପରେ ମହିଳା ଜଣକ ଗୋରୁମହିଷାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ କରିବାରୁ ଗାଁ ଲୋକେ ଛିତା ମୁର୍ମୁ ଏବଂ ତାଙ୍କ ପୁତ୍ରବଧୁଙ୍କ ସହିତ ମିଶି ପଡୋଶୀ ଛୋଟରାୟ ହେମ୍ବ୍ରମଙ୍କ ସହିତ ଅନୈତିକ ସମ୍ପର୍କ ଅଛି ବୋଲି କହିଥିଲେ । ଏହା ପରେ ପୋଲିସ ମହିଳାଙ୍କୁ ଛୋଟରାୟ ହେମ୍ବ୍ରମଙ୍କ ଘରକୁ ଯିବା ଆସିବା ମନା କରିଥିଲେ। ପରବର୍ତୀ ସମୟରେ ଗାଁର କିଛି ଲୋକ ମାନେ ତାଙ୍କୁ ଗାଁ ରେ ବାସନ୍ଦ କଲେ ଏବଂ କୌଣସି କାମରେ ସହଯୋଗ କରିବା ପାଇଁ ଗ୍ରାମବାସୀଙ୍କୁ ମନା କରିଥିଲେ। ଯେଉଁ ବ୍ୟକ୍ତି ତାଙ୍କ ସହିତ କଥା ହେବ ସେହି ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଜୋରିମାନା କରାଯିବ ବୋଲି କହିଥିଲେ। ଗାଁରେ ବିବାଦୀୟ ପରିସ୍ଥିତି ଉପୁଜିବା ପରେ ଛିତାଙ୍କ ସାନ ପୁଅ ସାଇବା ମୁର୍ମୁ (୨୨) ମଧ୍ୟ ତାଙ୍କୁ ଘରୁ ତଡି ଦେବାରୁ ସେ ଝିଅ(କମଳା)ପାଖରେ ରହୁଛନ୍ତି। ଏହା ବ୍ୟତୀତ ମହିଳା ଛିତାଙ୍କ ଘଟଣା ସମ୍ପର୍କରେ ଯିଏ ପ୍ରକାଶ କରିବ ତାଙ୍କୁ ଗାଁ ର କିଛି ଲୋକ ଅର୍ଥଦଣ୍ଡରେ ଦଣ୍ଡିତ କରି ଜୋରିମାନା କରାଯିବ ବୋଲି ଧମକ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଅଛି। ଗତ କିଛି ଦିନ ପୂର୍ବରୁ ମହିଳା ଛିତା ନିଜ ଚାଷଜମିରେ ଧାନ ଚାଷ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ତାଙ୍କୁ ଗାଁ ଲୋକେ ମନା କରିଥିଲେ। ଏଥି ସହିତ ଯିଏ ତାଙ୍କ ଘରେ କାମ କରିବ ତାକୁ ଜୋରିମାନା କରାଯିବ ବୋଲି ଲୋକ ମାନେ କହିଥିଲେ। ଏହା ପରେ ମହିଳା ଭୟଭୀତ ହେବା ସହ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ସେ ବାଧ୍ୟ ହୋଇ ଗୋରୁମହିଷାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ।ତେବେ ପୋଲିସ ଘଟଣାର ସମାଧାନ ପାଇଁ ଆଜି ଉଭୟଙ୍କୁ ନେଇ ସମାଧାନୀ ବୈଠକ ବସାଇ ଥିଲେ ମାତ୍ର କୌଣସି ସମାଧାନ ହୋଇନଥିବା ସୂଚନା ମିଳିଛି । ବିଧବା ମହିଳା ବର୍ତ୍ତମାନ ଲୁହାକାନି ପଂଚାୟତର ଜେଡ଼େରଘୁଟୁ ଗ୍ରାମରେ ଥିବା ତାଙ୍କ ଝିଅ କମଳା ମୂର୍ମୁ ଘରେ ରହୁଛନ୍ତି ।ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More