ଜଗତସିଂହପୁର( ସଂଘର୍ଷ ମିଡିଆ): ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ । ଶ୍ରାବଣ ଶେଷ ହେଲା ମଧ୍ୟ ମୌସୁମୀ ବର୍ଷା ନହୋଇ ବିଲବାଡି ଫାଟି ଫସଲ ନଷ୍ଟ ହୋଇଯାଇଥିଲା । ଚାଷୀକୂଳ ଯାହାଯେମିତି ହେଉ ଧାନ ତଳି ପୁଣି ପକାଇ ରୁଆରୋଇ କରୁଛନ୍ତି ଆଜି ଲଘୁଚାପ ଜନିତ ଲଗାଣ ବର୍ଷାରେ ହଂସୁଆରେ ପ୍ରଳୟଙ୍କରୀ ବନ୍ୟାଆସି ହଜାର ହଜାର ହେକ୍ଟର ଚାଷଜମି ଉପରେ ୩ଫୁଟ ଉଚ୍ଚରେ ଉଦବୃର୍ତ ବର୍ଷାଜଳ ପ୍ରବାହିତ ହେଉଛି । ଫଳରେ ଚାଷୀମାନେ ହଂସୁଆର ଉଭୟ ପାଶ୍ୱର୍ରେ ଶାରଦ ଧାନଫସଲ ନିମନ୍ତେ ରୋଇ ଥିବା ଧାନତଳି ଏବଂ ତଳି ଘେରା ଉପରେ ୩ଫୁଟ ପାଣି ପ୍ରବାହିତ ହେବାଦ୍ୱାରା ଉକ୍ତ ଧାନତଳି ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ରଘୁନାଥପୁର ବ୍ଲକର ହଂସୁଆ ପାଶ୍ୱର୍ପ୍ରତି ହଜାର ହଜାର ଚାଷୀଙ୍କର ମୁଣ୍ଡରେ ଚଡକ ପଡିଥିଲା । ଏବେ ଚାଷୀ କିପରି ଖରିଫ ଧାନଫସଲ କରିବେ ଚିନ୍ତାରେ ପଡିଛନ୍ତି । ରଘୁନାଥପୁର ବ୍ଲକର ବିରାଟ କଟକ, କୁଆମଙ୍ଗା, କପାଢ଼ିଅ, କଣ୍ଟାପଡା, ଗୋଠିଣା, ବରାଗୋଳ, ସାଦେଇପୁର, କନ୍ଦରାପାଟୀ, ବସନ୍ତା, କୋଟକଣା, ଅଢେଇକୂଳ, ସାନ କୋରକୋର, ବଡ କୋରକୋର, ଗୁଆଳିପୁର, ନୂଆପଲେଇ, ଚିକିଣିଆ, ଶାଳିଜଙ୍ଗା, ତଅଁରା, ତାରପୁର, ଛପଡା, ଗୋପାଳପୁର, ନାଲିବର, ପୁରୁଣାବସନ୍ତ ଆଦି ଗ୍ରାମର ହଜାର ହଜାର ହେକ୍ଟର ଚାଷ ଜମି ଉପରେ ହଂସୁଆର ବନ୍ୟାଜଳ ପ୍ରବାହିତ ହେଉଛି । ଯାହାଫଳରେ ଚାଷୀମାନେ କିପରି ତଳି ସଂଗ୍ରହ କରି ପୁର୍ନବାର ଖରିଫ ଧାନଫସଲ କରିବେ ତାହା ହିଁ ଚିନ୍ତାର ବିଷୟ । ଏଠାରେ ସୂଚନା ଯୋଗ୍ୟ ହଂସୁଆର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଇଥିବା ପୋଲର ପିଲରରେ ବହୁଳ ପରିମାଣର ଦଳ ଲାଗି ପାଣି ନିଷ୍କାସନ ହୋଇପାରୁନାହିଁ । ଏହି ଦଳ ଗୁଡିକ ମଧ୍ୟ ସଫା କରାଯାଉନାହିଁ । ଏଠାରେ ପ୍ରକାଶ ଥାଉକି, ଏହି ହଂସୁଆର ଶଯ୍ୟା ଖନନ ପାଇଁ ଓଡିଶାର ସରକାରଙ୍କର ଡ୍ରେନେଜ ବିଭାଗ ପକ୍ଷରୁ ପ୍ରତିବର୍ଷ କୋଟିକୋଟି ଟଙ୍କା ବ୍ୟୟରେ ଶଯ୍ୟା ଖନନ ନାମକୁ ମାତ୍ର କରାଯାଇଛି, ଚଳିତ ବର୍ଷ ଏହି ହଂସୁଆର ଶଯ୍ୟା ଖନନ ପାଇଁ ୫କୋଟି ଟଙ୍କାରେ ନାମକୁ ମାତ୍ର ଶଯ୍ୟା ଖନନ କରି ଯନ୍ତ୍ରୀ ଓ ଠିକାଦାର ମିଶି କୋଟି କୋଟି ଟଙ୍କାର ମିଥ୍ୟାବିଲ କରାଇ ନେଇଛନ୍ତି । ୨୦୦୦-୨୦୧୯ ମଧ୍ୟରେ ଏହି ହଂସୁଆର ଶଯ୍ୟା ଖନନ ପାଇଁ ୫୦କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ସରକାର ମଂଜୁର କରିଥିଲେ ମଧ୍ୟ ଏହି ଉକ୍ତ ଅର୍ଥରେ ହଂସୁଆର ଶଯ୍ୟା ଆଦୌ ଖୋଳାନଯାଇ ଉକ୍ତ ଟଙ୍କାକୁ ବିଭିନ୍ନ ସମୟରେ ନେତା, ଯନ୍ତ୍ରୀ ଓ ଠିକାଦାର ହରିଲୁଟ କରିନେଇଛନ୍ତି । ଭିଜିଲାନ୍ସ ବିଭାଗ ପକ୍ଷରୁ ୧୯ବର୍ଷ ମଧ୍ୟରେ ହଂସୁଆ ଖନନରେ କେତେ ଟଙ୍କା ବିଲ କରାଯାଇଛି ତାହାର ନିରପେକ୍ଷ ତଦନ୍ତ କରିବାକୁ କୃଷକନେତା ଇଂ ବାବାଜୀ ଜେନା ଦାବି କରିଛନ୍ତି ।