ପୁରୀ(ସଂଘର୍ଷ ମିଡିଆ) :- ପୁରୀର ବିକାଶ ଧାରାରେ ପୁରୀରେ ଥିବା ସ୍ଵର୍ଣ୍ଣାଭ ବେଳାଭୂମିର ମଧ୍ୟ ବିକାଶ କରାଯାଉଛି । କିନ୍ତୁ ସ୍ଵର୍ଣ୍ଣାଭ ବେଳାଭୂମିରେ ଦୈନିକ ମିଶୁଛି ନର୍ଦମା ଜଳ । ଯାହା ଫଳରେ କି ସ୍ଵର୍ଣ୍ଣାଭ ବେଳାଭୂମିର ସନ୍ଦର୍ଯ୍ୟ ହଜି ଯାଉଛି । ଏହି ନର୍ଦମା ଜଳ ବେଳାଭୂମିରେ ମିଶିବା ବେଳେ ଯିଏ ବି ଏହି ଦୃଶ୍ୟ ଦେଖିବ ତାକୁ ଭ୍ରମ ହେବ କି କେଉଁ ଗୋଟିଏ ହ୍ରଦ ଆସି ପୁରୀ ସ୍ଵର୍ଣ୍ଣାଭ ବେଳାଭୂମିରେ ମିଶିଛି । ସ୍ଵର୍ଣ୍ଣାଭ ବେଳାଭୂମିରେ ପଲିଥିନ ଜରି ସମେତ ଆବର୍ଜନା ଜମାହୋଇ ରହିଛି। ଦୀର୍ଘ ଦିନ ଧରି ନର୍ଦମା ଜଳ ଜମାହୋଇ ରହିବା ଯୋଗୁଁ ବେଳାଭୂମି ବାଲି ମଧ୍ୟ ଅନେକ ସ୍ଥାନରେ କଳା ପଡିଥିବା ଚିତ୍ର ଦେଖିବାକୁ ମିଳିଛି । ଏଥିସହ ସେହି ଅଞ୍ଚଳରେ ଦୁର୍ଗନ୍ଧରେ ନାକ ଫାଟିପଡୁଛି ବୋଲି ସ୍ତାନୀୟ ଲୋକେ କହିଛନ୍ତି । ସୂଚନା ଥାଉକି, ବିଶୋଧନରେ ନର୍ଦମା ଜଳ ବେଳାଭୂମି ଦେଇ ସମୁଦ୍ରରେ ମିଶୁଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ କ୍ରମେ ୧୯୯୮ ମସିହାରେ ପ୍ରାୟ ୫କୋଟି ଟଙ୍କା ଖର୍ଚ୍ଚ କରାଯାଇ ରାଜ୍ୟର ପ୍ରଥମ ମଇଲାପାଣି ବିଶୋଧନ ପ୍ରକଳ୍ପ ବାଙ୍କିମୁହାଣରେ ପ୍ରତିଷ୍ଠା କରାଯାଇଥିଲା। ନାଗପୁରର ଜାତୀୟ ପରିବେଶ ଓ ଯାନ୍ତ୍ରିକ ଗବେଷଣା ପ୍ରତିଷ୍ଠାନ (ନେରି) ଏଥପାଇଁ ବୈଷୟିକ ପରାମର୍ଶ ଯୋଗାଇ ଦେଇଥିଲେ । ବିଶୋଧନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାପରେ ଆଉ ଅଣବିଶୋଧୃତ ନର୍ଦମା ଜଳ ସମୁଦ୍ରକୁ ଛଡାଯିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଥିଲେ । ପୁରୀ ଜନସ୍ଵାସ୍ଥ୍ୟ ଡିଭିଜନକୁ ଏହି ପ୍ରକଳ୍ପର ରକ୍ଷଣାବେକ୍ଷଣ ଏବଂ ପରିଚାଳନା ଦାୟିତ୍ବ ଦିଆଯାଇଥିଲା । ୧୯୯୯ ମହାବାତ୍ୟାରେ ଏହି ପ୍ରକଳ୍ପ ଅଚଳ ହୋଇପଡିଥିଲା। ଏହା ପରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହାର ପୁନରୁଦ୍ଧାର ହୋଇଥିଲା। ପ୍ରତ୍ୟେକ ବର୍ଷ ରଥଯାତ୍ରା ସମୟରେ ଘରୋଇ ସଂସ୍ଥାଦ୍ଵାରା ବାଙ୍କିମୁହାଣ ପ୍ରକଳ୍ପରୁ କିଛି ପଙ୍କ ଏବଂ ଦଳ କଢାଯାଉଛି। ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଏହି ପ୍ରକଳ୍ପର ପରିଚାଳନା ଦାୟିତ୍ଵ କିଛିଦିନ ପାଇଁ ଜୁସ୍ ନାମକ ଏକ ଘରୋଇ ସଂସ୍ଥାକୁ ଦିଆଯାଇଥିଲା। ପ୍ରକଳ୍ପ ପରିଚାଳନା ନାମରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ଅନ୍ୟପଟେ ନୀଳାଦ୍ରି ବେଳାଭୂମିଠାରୁ ହୋଟେଲ ହଲିଡେ ରିସର୍ଟ ପର୍ଯ୍ୟନ୍ତ ଏଭଳି ଦୂରାବସ୍ଥା ଦେଖିବାକୁ ମିଳିଛି। ଏହା ସତ୍ତ୍ଵେ ପୁରୀ ପୌରସଂସ୍ଥା, ଜନ ସ୍ଵାସ୍ଥ୍ୟ ଡିଭିଜନ କିମ୍ବା ସ୍ୱେରେଜ ବୋର୍ଡ ପକ୍ଷରୁ ଏହାର ସ୍ଥାୟୀ ପ୍ରତିକାର କରାଯାଉ ନାହିଁ । ବାଙ୍କି ମୁହାଣରୁ ନର୍ଦମା ଜଳ ସମୁଦ୍ରରେ ମିଶିବା ପାଇଁ ବେଳାଭୂମି ଦୁଇଭାଗ ହୋଇଯାଇଛି। ଏଥି ଯୋଗୁ ବେଳାଭୂମିରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଭକ୍ତ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ପୁରୀ ବେଳାଭୂମିର ଏଭଳି ଦୂରାବସ୍ଥା ଦେଖୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଭକ୍ତ ଅନୁଭୂତି ନେଇ ଫେରୁଛନ୍ତି । ବାଙ୍କିମୁହାଣ ପଛପାର୍ଶ୍ବ ବେଳାଭୂମିର ପ୍ରାୟ ୨ଏକର ଜମିରେ ନର୍ଦମା ଜଳ ଜମାହୋଇ ରହିଛି । ପୁରୀ ସହରର ଅଣବିଶୋଧୃତ ନର୍ଦମା ଜଳ ବାଙ୍କିମୁହାଣ ଦେଇ ବେଳାଭୂମିକୁ ଯାଉଛି। ସମୁଦ୍ରରେ ନର୍ଦମା ଜଳ ମିଶୁଥିବା ଯୋଗୁଁ ମାଛଙ୍କ ସମେତ ଜଳଜୀବଙ୍କ ସଂଖ୍ୟା ହ୍ରାସ ପାଉଛି । ବିଭିନ୍ନ ସମୟରେ ମାଛ ମରି ସମୁଦ୍ରରେ ଭାସୁଥିବା ଦେଖା ଦେଉଛି।