ପୁରୀ( ସଂଘର୍ଷ ମିଡିଆ ) : ‘ସ୍ୱଚ୍ଛ ପୁରୀ ପ୍ରୟାସ ‘ ମାଧ୍ୟମରେ ପୁରୀକୁ ବିଶ୍ୱ ସ୍ତରୀୟ ଐତିହ୍ୟ ସହର ରୂପେ ଗଢିବା ପାଇଁ ଜନସାଧାରଣଙ୍କ ଯୋଗଦାନ ଏବଂ ଏ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପୁରୀ ପୌରପାଳିକା ସୃଜନଶୀଳ ସହରବାସୀଙ୍କ ମଧ୍ୟରେ ଏକ ଲୋଗୋ ଏବଂ ଟ୍ୟାଗ ଲାଇନ ପ୍ରତିଯୋଗିତା ର ଆୟୋଜନ କରିଅଛି I ଆଜି ସେପ୍ଟେମ୍ବର ୧୬ ତାରିଖରୁ ଏଥିରେ ଅଂଶ ଗ୍ରହଣ କରିବାକୁ ଇଚ୍ଛୁକ ପୁରୀବାସୀଙ୍କ ଠାରୁ ପ୍ରବେଶିକା ଆହ୍ୱାନ କରାଯାଉଛି ଏବଂ ପ୍ରବେଶିକା ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୨୫ ରଖାଯାଇଛି I ଏଥିରେ ଅଂଶ ଗ୍ରହଣ ପାଇଁ କୌଣସି ବୟସ ସୀମା କିମ୍ବା ପ୍ରବେଶ ଶୁଳ୍କ ରଖା ଯାଇନାହିଁ କିନ୍ତୁ ଜଣେ ବ୍ୟକ୍ତି କେବଳ ଗୋଟିଏ ପ୍ରବେଶିକା ଦାଖଲ କରି ପାରିବେ I ଇଂରାଜୀ କିମ୍ବା ଓଡ଼ିଆ ଭାଷାରେ ଟ୍ୟାଗ ଲାଇନ ଲେଖାଯାଇ ପାରେ ଏବଂ ଉଭୟ ବିଭାଗରେ ବିଜେତାଙ୍କୁ ୧୦,୦୦୦ ଟଙ୍କା ନଗଦ ପୁରସ୍କାର ଦିଆଯିବ I ଏତଦବ୍ୟତୀତ ପ୍ରତ୍ୟକ ୱାର୍ଡର ୧୦ ଜଣ ଶ୍ରେଷ୍ଠ ପ୍ରତିଯୋଗୀ ମାନଂକୁ ଟଙ୍କା ୫୦୦ ଲେଖାଏଁ ଦିଆଯିବ I ଏହି ପ୍ରତିଯୋଗିତା ଅନଲାଇନ ହେବ ଏବଂ ପ୍ରତିଯୋଗୀ ମାନେ ନିଜ ସ୍ମାର୍ଟଫୋନ ରେ https: //bit .ly /3khHj8F ଲିଙ୍କ କୁ ଯାଇ ନିଜ ନାମ ପଂଜିକୃତ କରିବା ସହ ନିଜ ଲୋଗୋ କିମ୍ବା ଟ୍ୟାଗ ଲାଇନ ପ୍ରେରଣ କରି ପାରିବେ I ଉକ୍ତ ୱେବ୍ସାଇଟରେ ପ୍ରତିଯୋଗିତା ସମ୍ବଧୀୟ ସମସ୍ତ ସୂଚନା ଓ ସର୍ତାବଳୀ ବିସ୍ତୃତ ଭାବରେ ଦିଆ ଯାଇଛି I ଜନସାଧାରଣଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ସକାଶେ ପୁରୀ ପୌରପାଳିକା ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି I ଏଥି ପାଇଁ ସୋସିଆଲ ମିଡ଼ିଆ ଏବଂ ଲୀଫଲେଟ ଓ ପ୍ରଚାର ପତ୍ର ଆଦି ର ଉପଯୋଗ କରାଯାଉ ଅଛି I ଆଜି ଏ ସମ୍ବନ୍ଧ ରେ ସୂଚନା ଦେଇ ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ ଏକ ଭିଡିଓ ବାର୍ତା ଜାରି କରି ବହୁସଂଖ୍ୟାରେ ଏହି ଦୁଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ପୁରୀ ସହର ବାସୀଙ୍କୁ ଅପିଲ କରିଛନ୍ତି I ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ କୋଭିଡ ୧୯ ମହାମାରୀ ପରିପ୍ରେକ୍ଷୀରେ ସହରର ପରିଚ୍ଛନତା ଓ ସହରବାସୀଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ପୁରୀ ପୌରପାଳିକା ଦ୍ୱାରା ନିଆ ଯାଇଥିବା ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଲୋଗୋ ଏବଂ ଟ୍ୟାଗ ଲାଇନ ର ସୃଜନ ନିମନ୍ତେ ପ୍ରତିଯୋଗୀଙ୍କୁ ପ୍ରେରଣା ଯୋଗାଇ ପାରେ I ଏକ ସ୍ୱାଧୀନ ବିଚାରକ ମଣ୍ଡଳୀ ପ୍ରତିଯୋଗିତାର ବିଚାର କରିବେ ଏବଂ ପ୍ରତିଯୋଗୀଙ୍କ କୃତୀରେ ଥିବା ସୃଜନଶୀଳତା, ସରଳତା ଏବଂ ଜନସାଧରଣଙ୍କ ଅବଚେତନରେ ସକରାତ୍ମକ ପ୍ରଭାବ ପକାଇ ପାରୁଥିବା ବିନ୍ଦୁ ଗୁଡିକୁ ଚୟନ ବେଳେ ଗୁରୁତ୍ୱ ଦେବେ I