ପାରାଦୀପ (ସଂଘର୍ଷ ମିଡିଆ ) : ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ‘ସେଲର୍ସ ୟୁନିୟନ୍ ଅଫ୍ ଇଣ୍ଡିଆ” ରାଜ୍ୟ ଶାଖା ତରଫରୁ ପାରାଦୀପରେ ଥିବା ସାମୁଦ୍ରିକ ବାଣିଜ୍ୟ ବିଭାଗର ଅଧିକାରୀଙ୍କ ଜରିଆରେ ଡିଜି ସିପିଂକୁ ୭ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଛି। ଏନେଇ ବିଏମଏସ ଓ ଏସ୍.ୟୁ.ଆଇ ମିଳିତ ଭାବେ ଆଜି ପାରାଦୀପ ମଧୁବନ ସ୍ଥିତ ସାମୁଦ୍ରିକ ବାଣିଜ୍ୟ ବିଭାଗ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା। ସୂଚନା ମୁତାବକ ଗତ ବାତ୍ୟା “ତାଉତେ”ରେ ମୁମ୍ବାଇରେ ବାର୍ଜ ବୁଡିବା ଘଟଣାରେ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ନାବୀକ ନିଖୋଜ ଥିବା ବେଳେ ଏପର୍ଯ୍ୟନ୍ତ କାହାରି ପତା ମିଳି ପାରିନାହିଁ। ଏମିତିକି ୨୩ବର୍ଷରୁ ଉର୍ଦ୍ଧ୍ବ ବାର୍ଜ କୁ କିପରି କାର୍ଯ୍ୟ ରେ ନିୟୋଜିତ କରା ଯାଇଥିଲା ତାହା କୁ ସଠିକ ତଦନ୍ତ , ନିଖୋଜ ଓ ମୃତ ନାବୀକ ଙ୍କ ପରିବାର ଙ୍କୁ କ୍ଷତିପୂରଣ ଓ ନିଯୁକ୍ତି ଦେବା ସହ ବାତ୍ୟା ସମୟରେ ପଠାଇଥିବା କମ୍ପାନୀ ର ଅଧିକାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରି ୭ଦଫା ସମ୍ବଳିତ ଦାବୀପତ୍ର ଡିଜି ସିପିଂ କୁ ଦିଆଯାଇଛି। ଏହି ଦାବୀ ପୂରଣ ନହେଲେ ଆଗାମୀ ଦିନରେ ତୀବ୍ରତର ରୂପ ନେବ ବୋଲି ବି.ଏମ୍.ଏସ୍ ର ଜିଲ୍ଲା ସଂପାଦକ ଅଭିନାସ ଦାସ୍ ଓ “ସେଲର୍ସ ୟୁନିୟନ୍ ଅଫ୍ ଇଣ୍ଡିଆ” ରାଜ୍ୟ ଶାଖାର ସଭାନେତ୍ରୀ ରୋଜାଲିନ୍ ଦାସ୍ କହିଛନ୍ତି।