ସୁନ୍ଦରଗଡ଼(ସଂଘର୍ଷ ମିଡିଆ ) : , ୩୦ଜୁଲାଇ ୨୦୨୧: ସୁନ୍ଦରଗଡ଼ ଜିଲ୍ଲାରେ ‘ସୁଦକ୍ଷ’ କାର୍ଯ୍ୟକ୍ରମ ଅଧୀନରେ ନିଯୁକ୍ତି ଉପଯୋଗୀ କୋଚିଂ ନେଉଥିବା ପ୍ରାର୍ଥୀମାନଙ୍କ ଅନଲାଇନ ପାଠପଢ଼ାରେ ସୁବିଧା ପାଇଁ ଟ୍ୟାବ୍ ଯୋଗାଇ ଦିଆଯାଉଛି। ଗୁରୁବାର ଦିନ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୁନ୍ଦରଗଡ଼ଠାରେ ଉପସ୍ଥିତ ପ୍ରାର୍ଥୀମାନଙ୍କୁ ଟ୍ୟାବ୍ ପ୍ରଦାନ କରିଛନ୍ତି। କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ପ୍ରାର୍ଥୀମାନଙ୍କ ସୁରକ୍ଷା ପାଇଁ ଏବେ ‘ସୁଦକ୍ଷ’ର ତିନୋଟି ଯାକ କେନ୍ଦ୍ରରେ ଅନଲାଇନ ମାଧ୍ୟମରେ କୋଚିଂ ଦିଆଯାଉଛି। ତେଣୁ ଘରେ ରହି ପିଲାମାନେ କିପରି ସୁବିଧାରେ କୋଚିଂ ପାଇପାରିବେ ତାହାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ସୁନ୍ଦରଗଡ଼, ବଣାଇଁ ଏବଂ ରାଉରକେଲାଠାରେ ସୁଦକ୍ଷ ପାଇଁ କୋଚିଂ କେନ୍ଦ୍ର ରହିଛି। ପ୍ରତି କେନ୍ଦ୍ରରେ ୫୦ ଜଣ କରି ପ୍ରାର୍ଥୀ ନାମ ଲେଖାଇଛନ୍ତି। ଶିକ୍ଷିତ ଯୁବକ ଯୁବତୀଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ପ୍ରସ୍ତୁତ କରିବା ସହ ସେମାନଙ୍କ ନିଯୁକ୍ତି ସମ୍ଭାବନା ବଢ଼ାଇବା ପାଇଁ ତିନି ମାସିଆ କୋଚିଂର ବ୍ୟବସ୍ଥା ରହିଛି। ଏହି କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେଉଛି। ଏହି କାର୍ଯ୍ୟକ୍ରମ ବେଳେ ଜିଲ୍ଲାପାଳଙ୍କ ସହ ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ ପ୍ରାର୍ଥମାନଙ୍କୁ ଏହା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଏମଏଫର ବରିଷ୍ଠ ଅଧିକାରୀ ଦୀପୁ ଶଙ୍କର ସାମଲ, ଜୀବିକା ବିଶେଷଜ୍ଞ ଅଞ୍ଜନ କୁମାର ପଣ୍ଡା ଏବଂ ଏହି କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱ ନେଇଥିବା ସ୍ୱେଚ୍ଛାସେବୀ ସଙ୍ଗଠନ ନିୟତି ଫାଉଣ୍ଡେସନର ଅଧ୍ୟକ୍ଷ ନିର୍ମଳ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବ୍ୟାଙ୍କିଙ୍ଗ୍, ଷ୍ଟାଫ୍ ସିଲେକ୍ସନ, ରେଲୱେ, ଆର୍ମି, ଏୟାରଫୋର୍ସ, ନାଭାଲ୍, ଓଡ଼ିଶା ପୋଲିସ, ଅର୍ଦ୍ଧ ସାମରିକ ବାହିନୀ ଏବଂ ବୀମା କ୍ଷେତ୍ର ଆଦି ଲାଗି ସୁଦକ୍ଷ ଅଧୀନରେ କୋଚିଂ ଦିଆଯାଉଛି। ଜିଲ୍ଲାର ଖଣି ପ୍ରଭାବିତ ୬ଟି ବ୍ଲକ – ରାଜଗାଙ୍ଗପୁର, ହେମଗିରି, କୁତ୍ରା, କୁଆରମୁଣ୍ଡା, ଲହୁଣୀପଡ଼ା ଓ କୋଇଡ଼ାର ପ୍ରାର୍ଥୀଙ୍କ ସହିତ ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ଏବଂ ବିପିଏଲ କାର୍ଡଧାରୀ ପରିବାରର ପିଲାଙ୍କୁ ନାମ ଲେଖା ବେଳେ ଅଗ୍ରାଧିକାର ଦିଆଯାଉଛି।