ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀ ମନ୍ଦିରର ସୋନ୍ଦର୍ଯ୍ୟ କରଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଂକା ପାଣି ଭଳି ଖର୍ଚ୍ଚ କରି ଚାଲିଛନ୍ତି। ହେଲେ ଦୁର୍ଭାଗ୍ୟର ବିଷୟ ଶ୍ରୀକ୍ଷେତ୍ରରେ ଥିବା ଅନ୍ୟ ବିଭିନ୍ନ ଐତିହ କୀର୍ତ୍ତିରାଜି ଗୁଡ଼ିକର ସୁରକ୍ଷା, ପୁନରୁଦ୍ଧାର ନେଇ ସରକାରଙ୍କ ଦୃଷ୍ଟି ପଡି ପାରୁନାହିଁ। ଏହାର ବଳିଷ୍ଠ ଉଦାହରଣ ଚକ୍ରତୀର୍ଥ ମନ୍ଦିର। ଯେଉଁ ସ୍ଥାନରେ ମହାପ୍ରଭୁଙ୍କ ଦାରୁ ଆବିର୍ଭାବ ହୋଇଥଲା। ମହାପ୍ରଭୁଙ୍କ ବ୍ରହ୍ମ ମିଳିଥିବା ଏହି ସ୍ଥାନରେ । ହେଲେ ଦୁର୍ଭାଗ୍ୟର ବିଷୟ ଏବେ ଚକ୍ରତୀର୍ଥ ମନ୍ଦିର ଏବେ ଅବହେଳିତ। ମନ୍ଦିର କାରୁକାର୍ଯ୍ୟ ଭାଙ୍ଗି ରୁଜି ଗଲାଣି। ମନ୍ଦିର ପରିବେଶ ଅତି ଅପରିଷ୍କାର ରହିଚି। ଏଠାକୁ ଆସୁଥିବା ଭକ୍ତଙ୍କ ପାଇଁ ସର୍ବ ନିମ୍ନ ମୌଳିକ ସୁବିଧା ଶୌଚାଳୟ ନାହିଁକି ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ନାହିଁ। ଆଲୋକ ବ୍ୟବସ୍ଥା ମଧ୍ୟ ପର୍ଯ୍ୟାପ୍ତ ମାତ୍ରାରେ ନାହିଁ। ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକ ବେଶ ହଇରାଣ ହେଉଛନ୍ତି। ସେହିପରି ଚକ୍ରତୀର୍ଥ ମନ୍ଦିରର ଜାଗା ଅନେକ ବ୍ୟକ୍ତି ମାଡ଼ି ବସୀ ହୋଟେଲ ବ୍ୟବସାୟ କରୁଛନ୍ତି। ମନ୍ଦିରକୁ ରାସ୍ତା ଅତି ସଂକୀର୍ଣ୍ଣ ହୋଇ ପଡ଼ିଚି। ଏଭଳି ଏକ ପ୍ରସିଦ୍ଧ ସ୍ଥାନର ରକ୍ଷଣା ବେକ୍ଷଣରେ ଅବହେଳାକୁ ନେଇ ଜଗନ୍ନାଥ ପ୍ରେମୀ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏହା ନିକଟରେ ମଧ୍ଯ ଚକ୍ର ନୃସିଂହ ମନ୍ଦିର ରହିଛି। ଯାହାକୁ ମହାଲକ୍ଷ୍ମୀଙ୍କ ପିତ୍ରାଳୟ ତଥା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶଶୁରାଳୟ କୁହାଯାଏ। ଚକ୍ର ନୃସିଂହ ମଧ୍ଯ ଅବହେଳିତ ଅବସ୍ଥରେ । ଭକ୍ତଙ୍କ ପାଇଁ ପାନୀୟ ଜଳ, ଶୌଚାଳୟ, ପାର୍କିଂ ବ୍ୟବସ୍ଥା ନାହିଁ। ହେଲେ ପ୍ରଶାସନ ଏହି ମନ୍ଦିରକୁ ନିଲାମ ଦେଇ ଲକ୍ଷ ଲକ୍ଷ ଟଂକା ଆୟ କରୁଚି। ହେଲେ ଭକ୍ତ ସୁବିଧା, ମନ୍ଦିରର ପୁନରୁଦ୍ଧାର କଥା ସରକାର, ପ୍ରଶାସନ ଭୁଲି ଯାଇଛନ୍ତି। ଗୋଟେ ପଟେ ଜଗନ୍ନାଥ ମନ୍ଦିରର ଉନ୍ନତି ପାଇଁ ସରକାର କୋଟି କୋଟି ଟଂକା ବ୍ୟୟ କରୁଥିବା ବେଳେ ମହାପ୍ରଭୁଙ୍କ ନୀତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଏହି ଚକ୍ର ତୀର୍ଥ, ଚକ୍ର ନୃସିଂହ ମନ୍ଦିର ପ୍ରତି ଧ୍ୟାନ ନ ଦେବାକୁ ନେଇ ସେବାୟତ ମହଲରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଚି। ସେପଟେ ଚକ୍ରତୀର୍ଥ, ଚକ୍ର ନୃସିଂହ ମନ୍ଦିର ପ୍ରତି ପ୍ରଶାସନ ଓ ସରକାରଙ୍କ ଅବହେଳାକୁ କଡ଼ା ସମାଲୋଚନା କରିଚି ପୁରୀ ନଗର କଂଗ୍ରେସ। ମନ୍ଦିର ନିଲାମ ଦେଇ ପ୍ରଶାସନ ଲକ୍ଷ ଲକ୍ଷ ଟଂକା ଆୟ କରୁଥିବା ବେଳେ ଭକ୍ତଙ୍କ ସୁବିଧା ଓ ମନ୍ଦିର ପୁନରୁଦ୍ଧାର ପ୍ରତି ଧ୍ୟାନ ନ ଦେବା ଘଟଣା ଅତି ଦୁଃଖ ଦାୟକ ବୋଲି ପୁରୀ ନଗର କଂଗ୍ରେସ ସଭାପତି ଅମରେନ୍ଦ୍ର ପାଇକରାୟ କହିଛନ୍ତି। ତେବେ ଚକ୍ରତୀର୍ଥକୁ ଉନ୍ନତି କରଣରେ ପ୍ରଶାସନ ପଦକ୍ଷେପ ନ ହେଲେ କଂଗ୍ରେସ ଆଗାମୀ ଦିନ ରେ ଏହାର ପ୍ରତିବାଦ କରିବ ବୋଲି ପୁରୀ ନଗର କଂଗ୍ରେସ ସଭାପତି କହିଛନ୍ତି।