ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଘୋଡଲାଗି ନୀତି ପାଳିତ

19

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆଜି ମାର୍ଗଶୀର ମାସ ଶୁକ୍ଳ ଷଷ୍ଠୀ ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଘୋଡଲାଗି ନୀତି ବା ଓଢଣ ଷଷ୍ଠୀ ପର୍ବ ପାଳିତ ହୋଇଯାଇଛି । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ବାଦଶ ଯାତ୍ରା ମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ପୂର୍ବ ରାତ୍ରରୁ ଅର୍ଥାତ ଗତକାଲି ଭୋଗମଣ୍ଡପ ପରେ ଅଧିବାସିତ ହୋଇଥିବା ଘୋଡ ମାନଙ୍କୁ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ବଡ଼ଦେଉଳକୁ ତିନି ଘେର ପ୍ରଦିକ୍ଷଣ କରାଯାଇ ରତ୍ନସିଂହାସନକୁ ବିଜେ କରାଯାଇଥିଲା। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳଧୂପ ବଢିବା ସହ ମଇଲମ କରାଯିବା ପରେ ପାରମ୍ପରିକ ଦର୍ଜି ସେବକ ଦ୍ବାରା ପ୍ରସ୍ତୁତ ହୋଇଥିବା ଶୀତବସ୍ତ୍ର ଠାକୁର ମାନେ ପରିଧାନ କରିଥାନ୍ତି। ଏହାସହ ଶ୍ରୀଜିଉଙ୍କୁ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇ ଥାଏ। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶୀତବସ୍ତ୍ର ପରିଧାନ କରିଛନ୍ତି ଶ୍ରୀଜିଉ। ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ସକାଳ ଧୂପ ସହ ମଇଲମ ବଢିବା ପରେ ଠାକୁରମାନଙ୍କୁ ପାଗ ଓ ଘୋଡ଼ ଲାଗି କରାଯିବା ପରେ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯାଇଛି। ପରେ ପ୍ରସାଦ ଲାଗି ସହ ତିନିବାଡ଼ରେ ବନ୍ଦାପନା କରାଯାଇଥିଲା। ଆଜି ଷଷ୍ଠୀ ଅବସରରେ ଲାଲ ରଙ୍ଗର ଘୋଡ଼ ଲାଗି କରାଯାଇଛି। ଆଜି ଗୁରୁବାରରେ ମହାପ୍ରଭୁ ହଳଦିଆ ରଙ୍ଗ, ଶୁକ୍ରବାର ଅର୍ଥାଥ କାଲି ଧଳା ରଙ୍ଗ, ଶନିବାର କଳା ରଙ୍ଗ, ରବିବାର ଲାଲ୍ ରଙ୍ଗ, ସୋମବାର କଳାଛିଟା ମିଶା ଶୁକ୍ଳ ରଙ୍ଗ, ମଙ୍ଗଳବାର ବାରପଟିଆ ବା ପଞ୍ଚରଙ୍ଗ ଓ ବୁଧବାର ସବୁଜ ରଙ୍ଗର ଘୋଡ଼ ଶ୍ରୀଜିଉ ପରିଧାନ କରିଥାନ୍ତି । ତେବେ ଏହି ଘୋଡ ବା ଶୀତବସ୍ତ୍ର ପ୍ରସ୍ତୁତ କରିଛନ୍ତି ଶ୍ରୀମନ୍ଦିରର ପାରମ୍ପରିକ ଦର୍ଜି ସେବକ ପ୍ରକାଶ ମହାପାତ୍ର। ବେଶ୍ ନିଷ୍ଠାର ସହ ଦରଜି ସର୍ଦ୍ଦାର ୨୨ ହାତିଆ ସୂତାପୁଟା, ପତନୀ ଓ ଗୀତଗୋବିନ୍ଦ ପାଟରେ ଠାକୁରଙ୍କ ନୂତନ ଶୀତବସ୍ତ୍ର ସହ ଘୋଡ ଲାଗି ବେଶ ପାଇଁ ଖଟ ପାଛୁଡି, ତୂଳିପଟା, ଥୋଡ ପାହାଡିଆ, ଫୁଲଛେଦା ଆଦି ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଜିମା ଦେବା ପରେ ଶ୍ରୀଜିଉ ମାନେ ଏହି ଶୀତବସ୍ତ୍ର ପରିଧାନ କରିଥାନ୍ତି। ଏହାସହ ମଦନମୋହନ, ସୁଦର୍ଶନ, ଗରୁଡ, ପତିତପାବନ, ଗୁଣ୍ଡିଚା ମନ୍ଦିରରେ ବିରାଜିତ ନୃସିଂହ ମହାପ୍ରଭୁ, ଦକ୍ଷିଣକାଳୀ ଓ କାକୁଡିଖାଇ ଠାକୁରାଣୀ ମଧ୍ୟ ଶୀତବସ୍ତ୍ର ପରିଧାନ କରିଛନ୍ତି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମାନବୀୟ ଲୀଳାକ୍ରମରେ ଶ୍ରୀଜୀଉ ଏହି ଘୋଡ଼ ବା ଶୀତବସ୍ତ୍ର ପରିଧାନ କରିଥିାନ୍ତି। ଏହି ଲୀଳାକୁ ପ୍ରାବରଣ ଯାତ୍ରା ମଧ୍ୟ କୁହାଯାଏ। ଏହି ବେଶରେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଲାଭ ମିଳିଥାଏ ବୋଲି ବିଶ୍ୱାସ ରହିଛି। ପରମ୍ପରା ଅନୁଯାୟୀ ସରସ୍ବତୀ ପୂଜା ପୂର୍ବଦିନ ପର୍ଯ୍ୟନ୍ତ ଠାକୁରମାନେ ଏହି ଘୋଡ଼ ଲାଗି ହୋଇଥାନ୍ତି। ଆଜି ଓଢଣ ଷଷ୍ଠୀ ଅବସରରେ ମହାପ୍ରଭୁଙ୍କୁ ଘୋଡଲାଗି ବେଶରେ ଦର୍ଶନ କରି ଭକ୍ତ ମାନେ ନିଜକୁ ଧନ୍ୟ ମଣିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More