ଶ୍ରୀମନ୍ଦିରରେ ଆଜି ଦେବୀ ଉତ୍ଥାପନ ନୀତି

31

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀମନ୍ଦିରରେ ଆଜି ଦେବୀ ଉତ୍ଥାପନ ନୀତି।ଭାରତରେ ଅନେକ ପ୍ରତିଷ୍ଠିତ ପୀଠସ୍ଥଳୀ ରହିଛି। ସେଥିମଧ୍ୟରେ ଶ୍ରୀକ୍ଷେତ୍ର ଅନ୍ୟତମ। ଶଙ୍ଖକ୍ଷେତ୍ରର କ୍ଷେତ୍ରଶ୍ଵରୀ ଭାବରେ ମା ବିମଳା ଅଧିଷ୍ଠିତ।ଶ୍ରୀକ୍ଷେତ୍ର ଧାମରେ ଶ୍ରୀମନ୍ଦିରର ଭିତରବେଢା ମଧ୍ୟରେ ବିରାଜିତା ଦେବୀ ବିମଳା ପାଦପୀଠେଶ୍ଵରୀ ନାମରେ ସୁବିଦିତା। ପୀଠାଧିଶ୍ଵରୀ ମା ବିମଳା ହେଉଛନ୍ତି ଶାକ୍ତ ପାରମ୍ପରାରେ ମୁଖ୍ୟ ଶକ୍ତି। ଅଶ୍ଵିନ ମାସର ଶରତକାଳରେ ମା’ ଶ୍ରୀକ୍ଷେତ୍ରଶ୍ଵରୀଙ୍କର ଶ୍ରୌତସ୍ମାର୍ତ୍ତବିଧିରେ ତର୍ପଣ, ମାର୍ଜନ, ହୋମ ଓ ବଳିପୂଜାଦି ଅନୁଷ୍ଠିତ ହୋଇଥାଏ। ବହୁ ଆଡମ୍ବର ଓ ବିଧିବିଧାନ ସହ ବହୁଦିନ ପର୍ଯ୍ୟନ୍ତ ପାଳିତ ହେଉଥିବା ଦେବୀଙ୍କର ଏହି ପୂଜା ‘ଶାରଦୀୟ ଦୁର୍ଗୋତ୍ସବ’ ଭାବରେ ଖ୍ୟାତ। ଶରତକାଳର ଏହି ପୂଜା ସମୟକୁ ଛାଡିଦେଲେ ମା ବିମଳାଙ୍କର ନିତ୍ୟ ପୂଜାବିଧି ନାହିଁ। ଶ୍ରୀମନ୍ଦିରରେ କେବଳ ଶ୍ରୀଜୀଉମାନଙ୍କର ନୈବେଦ୍ୟ ଦେବୀଙ୍କୁ ସମର୍ପଣ କରାଯାଇଥାଏ।
ଶ୍ରୀମନ୍ଦିରରେ ଦେବୀ ଉତ୍ଥାପନ ଓ ସହସ୍ର କୁମ୍ଭାଭିଷେକ-ଦେବାଦେବୀଙ୍କର ଶୟନ ଓ ଉତ୍ଥାପନ ଆଦିରେ ବହୁବିଧ କର୍ମ ସମ୍ପାଦିତ ହେଉଥିଲେ ମଧ୍ୟ ତନ୍ମଧ୍ୟରୁ ଅଭିଷେକ ବିଧିର ଯଥେଷ୍ଟ ପ୍ରାଧାନ୍ୟ ରହିଛି। ଶ୍ରୀଦୁର୍ଗାଦେବୀଙ୍କର ଶୟନକାଳ ହେଉଛି ଭାଦ୍ରବ ମାସ ଶୁକ୍ଲପକ୍ଷ ଅଷ୍ଟମୀଠାରୁ ଆଶ୍ଵିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ପର୍ଯ୍ୟନ୍ତ।ଦେବୀ ଦୁର୍ଗା ଭାଦ୍ରବ ଶୁକ୍ଲ ଅଷ୍ଟମୀ ରାତ୍ରିରେ ଶୟନ କରନ୍ତି ଓ ଆଶ୍ଵିନ କୃଷ୍ଣ ଅଷ୍ଟମୀ ଦିବାଭାଗରେ ଶୟନରୁ ଉଠନ୍ତି। ଚନ୍ଦ୍ରମାନ ମାସର ଏହି ପନ୍ଦର ଦିନ ମଧ୍ୟରେ କେତେବେଳେ ତିଥି ବୃଦ୍ଧି ସମ୍ଭବ ହେଲେ ମଧ୍ୟ ଦେବୀ ଦୁର୍ଗାଙ୍କର ଶୟନକାଳ ନିର୍ଦ୍ଦିଷ୍ଟ ପନ୍ଦର ଦିନରୁ ବଢି ନଥାଏ। ତେଣୁ ତିଥି ବୃଦ୍ଧି ନଥିଲେ ଆଶ୍ଵିନ କୃଷ୍ଣ ଅଷ୍ଟମୀ ଦିନ କିମ୍ବା ତିଥି ବୃଦ୍ଧିରେ ସପ୍ତମୀ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସକାଳ ଧୂପ ସରିବା ପରେ ଭଣ୍ଡାର ଘରୁ ଦୁର୍ଗାଦେବୀଙ୍କର ଚଳନ୍ତି ବିଗ୍ରହ ଆଜ୍ଞାମାଳ ପାଇ ପତିମହାପାତ୍ରଙ୍କ ହସ୍ତରେ ଆସି ସୋମନାଥ ମଣ୍ଡପ ଖଟ ଉପରେ ବିଜେ ହୁଆନ୍ତି। ସେଠାରେ ପୁଜାପଣ୍ଡା,ପତିମହାପାତ୍ର ଓ ମୁଦିରସ୍ତ ଆଚାର୍ଯ୍ୟ ବ୍ରାହ୍ମଣ ବରଣ ହୋଇ ଶ୍ରୀଦୁର୍ଗାଦେବୀଙ୍କର କୋଠଭୋଗ ପାଣିଆ ସେବକ ଯୋଗାଇଥିବା ଏକ ସହସ୍ର ଗରା ଜଳଲାଗି କଲା ପରେ ଶ୍ରୀଅଙ୍ଗ ପୋଛା ପରେ ଲୁଗାଲାଗି ହୋଇ ବେଶ ହୋଇଥାନ୍ତି। ଏହାପରେ ପାଣିପଡି ଶୀତଳ ଭୋଗ ଓ ବନ୍ଦାପନାଦି ଶେଷ ହେଲେ ଦେବୀ ବିଗ୍ରହଙ୍କୁ ଭଣ୍ଡାରଘର ଦ୍ଵାର ଦେଶରେ ବିଜେ କରାଗଲା ପରେ ସହସ୍ରାକୁମ୍ଭାଭିଷେକ ନୀତି ସମାପ୍ତ ହୁଏ।
ସେପଟେ ଆଜି ଶ୍ରୀମନ୍ଦିରରେ ଦ୍ଵିତୀୟା ଓଷା । ଆଶ୍ଵିନ କୃଷ୍ଣ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଏହି ବ୍ରତକୁ ମହାଲକ୍ଷ୍ମୀ ଠାକୁରାଣୀ ପାଳନ କରିଥାନ୍ତି। ଏହି ଦିନ ଠାକୁରମାନଙ୍କର ସକାଳ ଧୂପ ସମାପ୍ତି ହେବାପରେ ଶ୍ରୀଦେବୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ସାତପାହାଚ ଦ୍ଵାରଠାରେ ଥିବା ପାଲିଙ୍କିରେ ବସି ମହାଲକ୍ଷ୍ମୀଙ୍କ ମନ୍ଦିରକୁ ବିଜେ ହୋଇ ସେଠାରେ ପଡିଥିବା ଏକ ଖଟ ଉପରେ ଅଧିଷ୍ଠିତ ଦେବା ପରେ ମହାଜନ ସେବକ ମା ଙ୍କ ମାଜଣା ପରେ କର୍ପୂର ଲାଗି ହୋଇଥାଏ। ଜନୈକ ପୂଜାପଣ୍ଡା ସେବକ ଶ୍ରୀଦେବୀଙ୍କୁ ଲକ୍ଷ୍ମୀବ୍ରତ କଥା ଶୁଣାଇଥାନ୍ତି। ପରେ ଭୋଗ ଓ ବନ୍ଦାପନା ହୋଇଥାଏ। ଭିତରେ ମଧ୍ୟାହ୍ନ ଧୂପ ଉଠିବା ପରେ ଶ୍ରୀଦେବୀ ରତ୍ନ ସିଂହାସନକୁ ବିଜେ କରିଥାନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More