ଶ୍ରୀମନ୍ଦିରରେ ଆଜିଠାରୁ ଦେବଦୀପାବଳି ନୀତି ଆରମ୍ଭ

20

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି। ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ କରି ଶ୍ରାଦ୍ଧବେଶରେ ଵିଭୂଷିତ ହୋଇଥାନ୍ତି। ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହିଆସିଛି | ଆଜି ଅର୍ଥାତ ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ଅଦିତି ଓ କଶ୍ୟପଙ୍କ ଉଦେଶ୍ୟରେ ଦୀପ ଦାନ ଓ ଶ୍ରାଦ୍ଧ ଦେଇଥାନ୍ତି ମହାପ୍ରଭୁ ।ତେବେ ଦ୍ଵିତୀୟ ଦିନ ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଧେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେବା ସହ ତୃତୀୟ ଦିନ ଅର୍ଥାତ ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ, ବାସୁଦେବ,ନନ୍ଦ,ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀ ଦୀପଦାନ କରିବା ସହ ଶ୍ରାଦ୍ଧ ତର୍ପଣ ଦେବାର ପରମ୍ପରା ରହିଛି | ଏହିଦିନ ମାନଙ୍କରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷ ଉଦେଶ୍ୟରେ ଶ୍ରାଦ୍ଧ ତର୍ପଣ ଆଦି କରୁଥିବା ସହ ଆଜି ମହାଦୀପ ମଧ୍ୟ ପ୍ରଜ୍ବଳିତ ହୋଇଥାଏ | ତେଣୁ ଏହାକୁ ଦେବଦୀପାବଳି କୁହାଯାଏ। ସଂଧ୍ୟା ଧୂପ ପରେ ପୁଷ୍ପାଳକ ସେବାୟତ ମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧ ଵେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଇଥାନ୍ତି। ଏହି ବେଶରେ ଶ୍ରୀବିଗ୍ରହମାନେ ଧଳାବସ୍ତ୍ର ପରିଧାନ କରିଥାନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ୧୬ହାତ ,ଶ୍ରୀବଳଭଦ୍ର ୧୪ହାତ ଓ ଦେବି ଶୁଭଦ୍ରା ୧୨ହାତ ଲମ୍ବ ବିଶିଷ୍ଟ ସୂତା ଶାଢୀ ବା ନାଗପୁରୀ ଶାଢୀ ପରିଧାନ କରିଥାନ୍ତି। ଶ୍ରାଦ୍ଧ ବେଶରେ ଠାକୁର ମାନେ ତଡଗୀ,ନଳୀଭୂଜ,ଚନ୍ଦ୍ର,ସୂର୍ଯ୍ୟ, କୁଣ୍ଡଳୀ,ଆଡକାନି,ହରିଡା ମାଳି, କମରପଟି ପ୍ରଭୃତି ସ୍ୱର୍ଣ୍ନ ଅଳଙ୍କାର ରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More