ରାଉରକେଲା(ସଂଘର୍ଷ ମିଡିଆ ) : ଏଆଇଟିୟୁସି ସହ ସହବନ୍ଧିତ ରାଉରକେଲା ଷ୍ଟିଲ ମଜଦୁର ୟୁନିୟନ ତରଫରୁ ବରିଷ୍ଠ ଶ୍ରମିକନେତା କମ୍ରେଡ ପ୍ରଭାତ ମିଶ୍ରଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସେକ୍ଟର ୫ କାର୍ଯ୍ୟାଳୟ ଠାରେ କୋଭିଡ ନିୟମ ଅନୁଯାୟୀ ପାଳନ କରାଯାଇଥିଲା । ଶ୍ରମିକ ନେତା କୈଳାଶ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ନିରାଡମ୍ବର କାର୍ଯ୍ୟକ୍ରମରେ ଏଆଇଟିୟୁସି ସର୍ବଭାରତୀୟ ସଂପାଦକ ବିଦ୍ୟାସାଗର ଗିରି ମୂଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ମିଶ୍ରଙ୍କ ଶ୍ରମିକ ଆନ୍ଦୋଳନ ଓ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ । ସେ ଏହି ଅବସରରେ ଉପସ୍ଥିତ ସଦସ୍ୟଙ୍କୁ ସମ୍ବୋଧନ କରି କହିଲେ ଯେ ଏଆଇଟିୟୁସି ହେଉଛି ଟ୍ରେଡ଼ ୟୁନିୟନ ମାନଙ୍କର ମା ତଥା ପ୍ରଥମ ୟୁନିୟନ ଭାବେ ସ୍ବୀକୃତି ଲାଭ କରିଥିଲା । ଏହା ସହ ଏନଜେସିଏସ ସଂପର୍କରେ ଆଲୋଚନା ସହ କେନ୍ଦ୍ର ସରକାରଙ୍କ ବେସରକାରୀ ନୀତିକୁ ବିରୋଧ କରିଥିଲେ । ତୁରନ୍ତ ମଜୁରୀ ଚୁକ୍ତି ନାମା ଦାବି କରିବା ସହ ସମସ୍ତ ଟ୍ରେଡ ୟୁନିୟନ ଏକତା ବଜାୟ ରଖି କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିନୋଦ ସୋନି, ରାମପ୍ରସାଦ ସିଂହ, ରାଜ୍ୟ ସଭାପତି ଅଶୋକ ଦାସ, ରାଜ୍ୟ ସଂପାଦକ ପ୍ରଦୋଷ ମହାନ୍ତି, ଜିଲ୍ଲା ସଂପାଦକ ସଦାନନ୍ଦ ସାହୁ, ନୀଳମାଧବ ସାହୁ, ରମାନାଥ ପର୍ବତ,ବରିଷ୍ଠ ନେତା ଏସ୍.କେ .ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ଯ ରଖିଥିଲେ । ଶେଷରେ କାର୍ଯ୍ୟକ୍ରମର ସଭାପତି ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।