ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ନିମନ୍ତେ ଜନପ୍ରତିନିଧିଙ୍କ ସହ ଜିଲ୍ଲାପାଳଙ୍କ ବୈଠକ

7

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ବିନିକା ବ୍ଲକ ପ୍ରଶାସନ ମିଳିତ ସହଯୋଗରେ ବିନିକା ବ୍ଲକ ସଭା ଗୃହ ଠାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ନିମନ୍ତେ ବିନିକା ବ୍ଲକ ଅନ୍ତର୍ଗତ ସମସ୍ତ ୧୬ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲପାଳ ଶ୍ରୀମତୀ ନରୱଣେ ଜିଲ୍ଲା ତଥା ବ୍ଲକ ସ୍ତରରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ସମ୍ପର୍କରେ ଉପସ୍ଥିତ ସରପଞ୍ଚ ଙ୍କ ସହ ବିଶେଷ ଆଲୋଚନା କରି ଜିଲ୍ଲାରେ ବାଲ୍ୟ ବିବାହ ଓ କିଶୋରୀ ମାତୃତ୍ୱକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସ୍ଥାନୀୟ ଜନପ୍ରତିନିଧି/ ସରପଞ୍ଚ ମାନଙ୍କ ଆନ୍ତରିକ ସହଯୋଗ କାମନା କରିଛନ୍ତି l ଏହାସହିତ ଅଧାରୁ ପାଠ ଛାଡିଥିବା କିଶୋର କିଶୋରୀ ମାନଙ୍କୁ କିପରି ପୁନର୍ବାର ବିଦ୍ୟାଳୟକୁ ଫେରାଇ ଅଣାଯିବ ତା ଉପରେ ଗୁରୁତ୍ୱlରୋପ କରି ସବୁ ସ୍ତରରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି l ବାଲ୍ୟ ବିବାହ ତଥା କିଶୋରୀ ମାତୃତ୍ୱକୁ ଗୁରୁତ୍ୱାରୋପ ପୂର୍ବକ ସରପଞ୍ଚ ମାନେ ନିଜ ନିଜ ପଞ୍ଚାୟତ ସ୍ତରରେ ବିଭିନ୍ନ ବୈଠକ ଅନୁଷ୍ଠିତ କରି ସଚେତନତା କରିବା ସହ ପ୍ରତିମାସ ନିଜ ପଞ୍ଚାୟତ ରେ କୌଣସି ବାଲ୍ୟ ବିବାହ ହେଉନାହିଁ ବୋଲି ପ୍ରମାଣପତ୍ର ପ୍ରଦାନ କରିବାକୁ ପରାମର୍ଶ କରିଛନ୍ତି ପୁନଶ୍ଚ ନିଜ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ହେଉ ଥିବା ପ୍ରତିଟି ବିବାହ ର ସମ୍ପୂର୍ଣ୍ଣ ତଥ୍ୟର ବିବରଣୀ ରଖିବାକୁ ପରାମର୍ଶ ଦେବା ସହିତ ଏହି ମହତ କାର୍ଯ୍ୟରେ ସମସ୍ତେ ଆନ୍ତରିକତାର ସହ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି l ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗଦାନ କରି ବାଲ୍ୟ ବିବାହ ର ଆଇନଗତ ଦିଗ ଓ ଶିଶୁ ଯୌନ ନିର୍ଯ୍ୟାତନା ଅଧୀନରେ ଆସୁଥିବା ଦଣ୍ଡ ବିଧାନ ଉପରେ ଆଲୋକପାତ କରି ସରପଞ୍ଚ ମାନଙ୍କ ସହଯୋଗ ରେ ପ୍ରଶାସନ ବାଲ୍ୟବିବାହ କୁ ଜିଲ୍ଲା ତଥା ବ୍ଲକ ରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିବ ବୋଲି କହିବା ସହ ବାଲ୍ୟ ବିବାହ ର ନିରାକରଣରେ ସ୍ଥାନୀୟ ଜନପ୍ରତିନିଧି ତଥା ସରପଞ୍ଚ ମାନଙ୍କ ଆବଶ୍ୟକତା ଓ ବିଶେଷ ଭୂମିକା ଉପରେ ଆଲୋକପାତ କରିଥିଲେ l ବର୍ତ୍ତମାନ ଜିଲ୍ଲାର ବିନିକା ବ୍ଲକର ୧୬ ଗ୍ରାମ ପଞ୍ଚାୟତ ଓ ବିନିକା ଏନଏ ସି ଅଞ୍ଚଳରେ ରେ ଅଧାରୁ ପାଠ ଛାଡିଥିବା ୧୭୦ଜଣ କିଶୋରୀ ରହିଥିବା ବେଳେ ୩୩୬ ଜଣ କିଶୋର ରହିଛନ୍ତି, ସେହିପରି ଅଦ୍ୟାବଧି ୬୮ ଜଣ କିଶୋରୀ ମାତୃତ୍ୱ ଥିବା ପରିସଂଖ୍ୟନରୁ ଜଣାପଡିଛି l କିଶୋରୀ ମାତୃତ୍ୱ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହେତୁ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଉପରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେ କଡାଆଭିମୁଖ୍ୟ ଗ୍ରହଣ ପୂର୍ବକ ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି l ପୁନଶ୍ଚ ଆଗାମୀ ଦିନରେ ଏହାର ପୁନରାବୃତ୍ତିକୁ ବରଦାସ୍ତ କରାଯିବନାହିଁ ବୋଲି ସୂଚୀତ କରି ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ଗ୍ରହଣ କରିବାକୁ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀକୁ କଡା ଚେତାବନୀ ଦେଇଛନ୍ତି l ଏହି ବୈଠକରେ ରେ ଉପଜିଲ୍ଲାପାଳ ସୋନପୁର ଶ୍ରୀ ନିହାର ରଞ୍ଜନ କଁହର, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଦୀପ୍ତିରେଖା ନନ୍ଦ, ଉପାଧ୍ୟକ୍ଷ ଶ୍ରୀ ନିର୍ମଳ ଶାଣ୍ଢ,ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶ୍ରୀ ବ୍ୟାସଦେବ ବେହେରା , ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ମଧୁ ସୁଦନ ପ୍ରଧାନ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଗୌରମଣୀ ହାଁସଦା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ,ଜିଲ୍ଲା ବାଲ୍ୟ ବିବାହ ପରାମର୍ଶ ଦାତା, ଏକ୍ସନଏଡ଼ ର ଶ୍ରୀ ରାକେଶ ପ୍ରଧାନ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସମସ୍ତ ସି ଡି ପି ଓ, ସୁପରଭାଇଜର ତଥା ବ୍ଲକ ଅନ୍ତର୍ଗତ ସମସ୍ତ ସରପଞ୍ଚ, ଜି ପି ଇ ଓ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ ପୂର୍ବକ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ନିଜ ନିଜ ସ୍ତରରେ ସଶକ୍ତ ଭାବେ ପଦକ୍ଷେପ ନେଇ କାର୍ଯ୍ୟ କରିବା ଉପରେ ମତାମତ ପ୍ରଦାନ କରିଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More