ଭୁବନେଶ୍ବର ( ସଂଘର୍ଷ ମିଡିଆ ) : ରାଜ୍ୟରେ ଏବେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ଜାରି ରହିଥିବା ବେଳେ ଆଉ କିଛିଦିନ ପର୍ଯ୍ୟନ୍ତ ଏପରି ଅବସ୍ଥା ଲାଗିରହିବ। ଶନିବାର ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମଶଃ ଅବପାତରେ ପରିଣତ ହୋଇ ପରେ ଅଧିକ ସକ୍ରିୟ ହେବ। ପ୍ରଥମେ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତା ୧ରୁ ୩ ତାରିଖ ମଧ୍ୟରେ ବାଂଲାଦେଶ ଓ ମିଆଁମାର୍ ମୁହାଁ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦକ୍ଷିଣପୂର୍ବ ବଙ୍ଗୋପସାଗ ଅଶାନ୍ତ ରହିବ ଏବଂ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାର ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସମୁଦ୍ରରେ ୫୦ରୁ ୭୦ କିମି ବେଗରେ ପବନ ବହିବ। ତେବେ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶରେ ଏଥିଯୋଗୁଁ ଅଧିକ ବର୍ଷାର ସମ୍ଭାବନା ନାହିଁ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର କେତେକ ଜିଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ।