କେନ୍ଦ୍ରାପଡା ( ଏଜେନ୍ସି ) : ବିବାହ ଲାଗି ତିଥି ଧାର୍ଯ୍ୟ କରାଯାଇଥିଲା ା ହେଲେ ଲକ୍ ଡ଼ାଉନ୍ ସମସ୍ୟା ଭାବେ ଉଭା ହୋଇଥିଲା। ଏବେ ମେ ୧୭କୁ ପୁଣି ଘୁଞ୍ଚିଲା ଲକ୍ ଡ଼ାଉନ୍। ବରଘର ଏବଂ କନ୍ୟାଘର ଭାବି ଥିଲେ ଲକ୍ଡ଼ାଉନ୍ ଉଠିଯିବ। ଆଉ ଧୁମ୍ଧାମ୍ରେ ହେବ ବାହାଘର। ହେଲେ କରୋନା ବଦଳାଇ ଦେଲା ସବୁକିଛି। ଏଭଳି ପରିସ୍ଥିତିରେ ନା ସାଙ୍ଗସାଥୀ, ନା ବାଜା ରୋଶଣି, ନା ବରଯାତ୍ରୀଙ୍କ ନାଚଗୀତ କିଛି ବି ଦେଖିବାକୁ ମିଳିନଥିଲା। କେବଳ ଥିଲେ ବର ଆଉ କନିଆଁ। ଆଉ ଈଶ୍ୱରଙ୍କ ନାମ ନେଇ ପରସ୍ପରକୁ ବରଣମାଳା ପିନ୍ଧାଇ ସାତ ଜନମର ସାଥୀ ହୋଇଥିଲେ। କେବଳ ସାକ୍ଷୀଥିଲେ ସଦ୍ଗୁରୁ ନିଗମାନନ୍ଦ। ଏମିତି ଏହି ନିଆରା ବାହାଘରରେ ବର ଏବଂ କନ୍ୟା ଉଭୟ ମୁହଁରେ ମାସ୍କବାନ୍ଧି ସରକାରଙ୍କ କଟକଣାକୁ ସମ୍ମାନ ଜଣାଇଥିଲେ। ଏଭଳି ନିଆରା ବାହାଘର ଦେଖିବା ପାଇଁ ମିଳିଥିଲା କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍ ନମୌଜାରେ ରହିଥିବା ସାରସ୍ୱତ ଆସନ ମନ୍ଦିର ପରିସରରେ। ପଟ୍ଟାମୁଣ୍ଡାଇ ବ୍ଲକ ମାଳପାଟଣା, ଶ୍ରୀରାମପୁର କ୍ଷୀରୋଦ ପତିଙ୍କ ଝିଅ ମନୀଷାଙ୍କ ସହିତ ଆଳି ବ୍ଲକ୍ ନମୌଜା କଳଦିଆ ଗ୍ରାମର ହରି ପଣ୍ଡାଙ୍କ ପୁଅ ସନ୍ତୋଷଙ୍କ ସହିତ ବିବାହ ସ୍ଥିର ହୋଇଥିଲା। ନିର୍ବନ୍ଧ ବି ହୋଇଯାଇଥିଲା। ହେଲେ ମହାମାରୀ କରୋନା ବିବାହର ପ୍ରତିବନ୍ଧକ ସାଜିଥିଲା। ସବୁକିଛି ଠିକ୍ ଥିବାବେଳେ କେମିତି ହେବ ବାହାଘର। ଏଭଳି ସଙ୍କଟ ସମୟରେ ସମାଧାନର ସୂତ୍ର ନେଇ ଆସିଥିଲେ ସାମାଜିକ କର୍ମୀ ଭଗବାନ ନାୟକ। ଆଉ ଉଭୟ ପରିବାରଙ୍କ ସହମତିରେ ସମ୍ପନ୍ନ କରାଇଥିଲେ ଏଭଳି ନିଆରା ବାହାଘର। ସାମାଜିକ ଦୂରତ୍ୱ ବଦଳାଇ ଦେଲା ବିବାହ ପରମ୍ପରା ଓ ଆମ ଚଳଣି। ଏମିତିକି ଝିଅର ବାପା କ୍ଷୀରୋଦ ଏବେ ଲକ୍ ଡ଼ାଉନ୍ରେ ହାଇଦରାବାଦରେ ଫସି ରହିଛନ୍ତି। ବାହାଘରରେ କେବଳ ଝିଅର ମା’ ରଞ୍ଜିତା ଏବଂ ବରର ପିତା ହରିହରଙ୍କ ସହିତ ଆଳି ଥାନାର ଏସ୍ଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀ ଉପସ୍ଥିିତ ରହିଥିଲେ। ହାଇଦରାବାଦ୍ରେ ରହିଥିବା ଝିଅର ବାପା କ୍ଷୀରୋଦ ଭିଡ଼ିଓ କଲିଂ ମାଧ୍ୟମରେ ଝିଅଜ୍ୱାଇଁଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।