ରୋଜଗାର ପାଇଁ ଯାଇଥିଲେ ସୁଦୂର ଦୁବାଇ, ଶବ ହୋଇ ଫେରିଲେ

34

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ୧୬ ଦିନ ପରେ ଓଡ଼ିଶାକୁ ମୃତଦେହ ଆସିଲା ସୁଦୂର ଦୁବାଇରୁ। ସୁଦୂର ଦୁବାଇ ସହରରେ ପରିବାର ପୋଷିବାକୁ ଯାଇଥିବା ପୁଅର ମୃତଦେହ ଓଡ଼ିଶାକୁ କିପରି ଆସିବ ଚିନ୍ତାରେ ପଡ଼ି ଯାଇଥିଲେ ବୁଢ଼ା ବାପ ମା’ ଙ୍କ ସହ ପରିବାର ଓ ଆତ୍ମୀୟସ୍ବଜନ। ଯାହା ହେଉ କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟାରେ ୧୬ ଦିନ ପରେ ପୁଅର ମୃତଦେହ ପହଞ୍ଚିଲା ନିଜ ଗାଁ ରେ। ଏଭଳି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ଗାଁର ମାଧବ ବେହେରାଙ୍କ ପୁଅ ନାରାୟଣ ବେହେରାଙ୍କ କ୍ଷେତ୍ରରେ ହଠାତ୍ ମୃତ୍ୟୁକୁ ନେଇ । ଘରର ଆର୍ଥିକ ସ୍ବଛଳତାର ସୁଧାର ଆଣିବା ପାଇଁ ନାରାୟଣ ୧୫ ବର୍ଷ ହେଲା ଦୁବାଇ ସହରର ଏକ ଘରୋଇ ଅଟୋମୋବାଇଲ କମ୍ପାନୀରେ ଟେକ୍ନିସିଆନ ଭାବେ କାମ କରି ଓଡ଼ିଶାରେ ରହୁଥିବା ନିଜ ବାପ ମା’ ପରିବାରଙ୍କୁ ପୋଷୁଥିଲେ। ଗତ ୩ ତାରିଖ ରେ ହଠାତ୍ କୈାଣସି କାରଣରୁ ନାରାୟଣଙ୍କ ଦୁବାଇ ସହରରେ ମୃତ୍ୟୁ ଘଟିଥିଲା। ଆଉ ସେଠାରୁ ଏହି ଦୁଃଖଦ ଖବର ପାଇ ସଂପୂର୍ଣ୍ଣ ପରିବାର ସହ ଅଂଚଳବାସୀ ସ୍ତବ୍ଧ ହୋଇ ଯାଇଥିଲେ। ଏତେ ଦୂରରୁ କିପରି ପୁଅର ଶବ ଘରକୁ ଆସିବ ଓ ବୃଦ୍ଧ ବାପା ମା’ ପୁଅକୁ ଶେଷ ଥର ପାଇଁ କିପରି ପୁଅକୁ ଆଖି ପୁରାଇ ଦେଖି ପାରିବେ, ତାକୁହିଁ ଭାବି ଭାବି ଆଖିରୁ ଲୁହ ଆଉ ଶୁଖିଲା ନାହିଁ। ଯେଉଁ ପୁଅକୁ ମା ଦିନେ’ ନିଜ ପେଟରେ ୧୦ ମାସ ୧୦ ଦିନ ରଖିଥିଲା ଆଜି ସେହି ପୁଅର ମୁହଁ ଦେଖୁବାକୁ ବାଇଆଣି ପାଲଟି ଗଲାଣି ଆଉ ବୃଦ୍ଧ ମା’ ଆଖିରୁ ଲୁହ ଶୁଖୁ ନଥିବା ବେଳେ, ଘରର ଗୋଟିଏ କୋଣରେ ଗୁମୁରୀ ଗୁମୁରୀ କାନ୍ଦୁଛି ସାତ ଜନ୍ମକୁ ସାଥୀ କରିଥିବା ଧର୍ମପତ୍ନୀ। ଏହାରି ଭିତରେ ଦୁନିଆ ଭଲକରି ଦେଖି ନଥିବା କୁନି ଝିଅଟି ଭାବୁଛି କ’ଣ ବାପା ମୋର ଆଉ ଫେରିବେନି ? କାହାରି ପାଖରେ ନାହିଁ ଏହାର ଉତ୍ତର। ଶେଷରେ ନିଃସହାୟ ହୋଇ ପରିବାର କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଲେ, ପୁଅ ମୃତଦେହ ସୁଦୂର ଦୁବାଇ ସହରରୁ ଆଣିବାକୁ। ସେଥିପାଇଁ କେନ୍ଦ୍ର ସରକାର ଓ ବୈଦେଶିକ ମନ୍ତ୍ରଣାଳୟକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଥିଲା। ଆଉ ପରିବାରର ଦୁଃଖ ଶୁଣି ତତକ୍ଷଣାତ୍ ଭାରତ ବୈଦେଶିକ ବିଭାଗ ଦୁବାଇରୁ ନାରାୟଣଙ୍କ ମୃତ ଦେହ ଆଣି ଆଜି ବୁହାଳ ଗାଁରେ ପହଞ୍ଚାଇଥିଲେ । ନାରାୟଣଙ୍କ ମୃତଦେହ ନିଜ ଗାଁ ବୁହାଳରେ ପହଞ୍ଚିଲା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା। ନାରାୟଣଙ୍କୁ ପରିବାର, ଆତ୍ମୀୟସ୍ବଜନ ଓ ସ୍ଥାନୀୟ ବାସିନ୍ଦା ଶେଷ ଦର୍ଶନ କଲା ପରେ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ନାରାୟଣଙ୍କ ସାନଭାଇ ମୁଖାଗ୍ନୀ ଦେଇଥିଲେ। ଭାରତ ସରକାରଙ୍କ ଏଭଳି ସହଯୋଗକୁ ଅଂଚଳବାସୀ ଭୂୟସୀ ପ୍ରଶଂସା କରିଥିବା ବେଳେ, ପରିବାରର ସେବା କରିବାକୁ ସୁଦୂର ଦୁବାଇ ଯାଇଥିବା ପୁଅ ଆଜି ଶବ ହୋଇ ଫେରିଲା । ପୁଅକୁ ଦେଖିବା ପାଇଁ ୧୭ ଦିନ ହେଲା ଆଖିରୁ ଲୁହ ଗଡାଉଥିବା ବୃଦ୍ଧ ବାପ ମା’ ଓ ସ୍ବାମୀର ଫେରିବା ବାଟକୁ ଚାହିଁ ବସିଥିବା ଧର୍ମପତ୍ନୀଙ୍କ ଆଖିର ଲୁହ ଆଉ ଶୁଖୁନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More