ପୁରୀ ( ସଂଘର୍ଷ ମିଡିଆ ) : ରୁପା ଛାଉଣୀ ହେବ ଶ୍ରୀମନ୍ଦିରର କଳାହାଟ, ଜୟବିଜୟ ଓ ବେହରଣ ଦ୍ଵାର । ଆଜି ଏ ନେଇ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି ୩ ଜଣିଆ ବିଶେଷଜ୍ଞ ଦଳ । ପ୍ରାଥମିକ ପର୍ଯ୍ୟାୟରେ ତିନୋଟି ଦ୍ଵାର ମରାମତି ସହ ରୁପା ଛାଉଣୀ କରାଯିବା । ଏ ନେଇ ଆଜି ମାପଚୂପ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ସୁବୁଦ୍ଧିଙ୍କ ନେତୃତ୍ୱରେ ଏହି ବିଶେଷଜ୍ଞ ଟିମ୍ କଳାହାଟ, ଵେହରଣ, ଜୟ ବିଜୟ ଦ୍ଵାରକୁ ଅନୁଧ୍ୟାନ କରି ଫେରିଛନ୍ତି। ତେବେ ଏହା ଦ୍ୱାରା ଆହୁରି ଶ୍ରୀମନ୍ଦିରର ଶୋଭା ବୃଦ୍ଧି ହେବ । ରୁପାରେ ଝଲସିବ ଶ୍ରୀମନ୍ଦିରର ୩ ମୁଖ୍ୟ ପ୍ରବେଶ ପଥ। କଳାହାଟ ଦ୍ୱାର, ଜୟ ବିଜୟ ଦ୍ୱାର ଓ ବେହରଣ ଦ୍ୱାର ୩ ଦ୍ୱାରର ୬ଟି କବାଟକୁ ରୁପା ଛାଉଣୀ କରିବାକୁ ଯୋଜନା ଚାଲିଛି । କାଠ କବାଟ ଉପରେ ୧.୬୩ ଇଞ୍ଚର ରୁପା ଚଦର ପଡ଼ିବା ପାଇଁ ଡିଜାଇନ ମଧ୍ୟ ପ୍ରସ୍ତୁତ ହେଉଛି । ୩ ଦ୍ୱାର ପାଇଁ ଲାଗିବ ପ୍ରାୟ ୧ ହଜାର ୯୨୦ କିଲୋ ରୁପା । ଜଣେ ବଦାନ୍ୟ ବ୍ୟକ୍ତି ଏଥିପାଇଁ ରୁପା ଦାନ କରିବାକୁ ଅଗ୍ରହ ପ୍ରକାଶ କରିଥିବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇ ସାରିଚି । ଏହି ତିନୋଟି ଦ୍ୱାର ବହୁତ ପୁରୁଣା ହୋଇଯାଇଥିବାରୁ ପ୍ରାଥମିକ ଭାବେ ଏହି କବାଟ ଗୁଡ଼ିକର ରୁପା ଛାଉଣୀ କରି ସଂରକ୍ଷଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ସବୁ ଦ୍ୱାର ଗୁଡ଼ିକର କବାଟ ଗୁଡ଼ିକ କାଠ ହୋଇ ଥିବାକୁ ନଷ୍ଟ ହେବାକୁ ବସିଛି। ତେଣୁ କିଛି ତଳେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଥିଲେ ପରିଚାଳନା କମିଟି ସଦସ୍ୟ ।