ରାଉରକେଲା(ସଂଘର୍ଷ ମିଡିଆ ) : ରାଉରକେଲା ଇସ୍ପାତ କାରଖାନା ଅନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ନାଟ୍ୟମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ଏହି ଅବସରେ ବହୁଳ ପ୍ରସାରିତ ଓ ପ୍ରଚାରିତ ନାଟକ ‘ ବାଞ୍ଛାର ବଗିଚା’କୁ ଭରପୁର ସମର୍ଥନ ଦେଇ ଉପଭୋଗ କରିଥିଲେ ଇସ୍ପାତ ସହରର ନାଟ୍ୟପ୍ରେମୀ ଦର୍ଶକ।ଭୁବନେଶ୍ୱର କଳାକାରଙ୍କ ଦ୍ବାରା ପ୍ରଦର୍ଶିତ ଏହି ନାଟକର ଆଲୋକସଜ୍ଜା ଓ ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ଦର୍ପନାରାୟଣ ସେଠୀ। ୧୯୮୦ ମସିହାରେ ପ୍ରଥମେ ପ୍ରଦର୍ଶିତ ହୋଇଥିବା ଏହି ନାଟକ ଇତିମଧ୍ୟରେ ୧୭୦ରୁ ଅଧିକ ଥର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ହୋଇ ବେଶ୍ ଆଦୃତ ହୋଇଛି। ମନୋଜ ମିତ୍ରଙ୍କ ମୂଳ ବଙ୍ଗାଳି ରଚନା ଓ ଧିରେନ୍ଦ୍ରନାଥ ମଲ୍ଲିକଙ୍କ ଓଡ଼ିଆ ଅନୁବାଦରେ ପ୍ରଦର୍ଶିତ ଏହି ନାଟକରେ ନିଜେ ଶ୍ରୀ ମଲ୍ଲିକ ଓ ତାଙ୍କ ପତ୍ନୀ ମୋନିଦିପା ମଲ୍ଲିକଙ୍କ ଅଭିନୟ ବେଶ୍ ଜୀବନ୍ତ ହୋଇଥିଲା। ଏହା ସହିତ ନାଟକର ମୁଖ୍ୟ ଚରିତ୍ର ବାଞ୍ଛା ଭୂମିକାରେ ୮୭ ବର୍ଷର ଅଭିନେତା ବୃନ୍ଦାବନ ବାରିକଙ୍କ ଅଭିନୟ ସମେତ ଅନ୍ୟ ସମସ୍ତଙ୍କ ଅଭିନୟରେ ଉପସ୍ଥିତ କଳାପ୍ରେମୀ ଦର୍ଶକ ଅଭିଭୁତ ହୋଇଥିଲେ। ପ୍ରାୟ ଦୁଇଘଣ୍ଟାର ଏହି ନାଟକ ମାଧ୍ୟମରେ ଜଣେ ଜମିଦାର ନିଜ ଜୀବଦଶାରେ ବାଞ୍ଛାର ବଗିଚାକୁ କରାୟତ କରିବାକୁ କରିଥିବା ଉଦ୍ୟମରେ ବିଫଳ ଓ ପରେ ତାଙ୍କ ପୁତ୍ର ମଧ୍ୟ ସେହି ଉଦ୍ୟମ କରି ବିଫଳ ହେବା ସହ ଇହଲୋକ ତ୍ୟାଗ କରିବା ଘଟଣାର ବେଶ୍ ମାର୍ମିକ ଉପସ୍ଥାପନା କରିଥିଲେ କଳାକାରମାନେ। ଏଥିରେ ବିଭିନ୍ନ ଭୂମିକାରେ ବିଭୁତି ମହାନ୍ତି, ଶ୍ରୀକାନ୍ତ ମିଶ୍ର, ବିଜୟ ରଥ, ନରେନ୍ଦ୍ର ସେନାପତି, ଅପୂର୍ବ ରଞ୍ଜନ ସାହୁ, ଜ୍ୟୋତିରଞ୍ଜନ ସାହୁ, ଧାରା ଶ୍ରାବଣୀ ପ୍ରମୁଖଙ୍କ ସହ ଦୈତ ଭୂମିକାରେ ଭାରତ ପଣ୍ଡା ଅଭିନୟ କରିଥିଲେ। ପୋଷାକ ସଜ୍ଜା କାର୍ତ୍ତିକ ସାହୁ, ସଙ୍ଗୀତ ସୌଭାଗ୍ୟ ସାହୁ ଓ ମଞ୍ଚ ସଜ୍ଜା ସଂଗ୍ରାମ ମହାରଣା ଓ ନୃସିଂହ ବେହେରାଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲାବେଳେ ପରିଚାଳନା ଦୟିତ୍ୱରେ ଥିଲେ ସୌମେନ୍ଦ୍ର ପାତ୍ର। ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଦର୍ଶକଭାବେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ରଙ୍କ ସମେତ ସ୍ବତନ୍ତ୍ର ଦର୍ଶକ ଏବଂ ଅତିଥିଭାବେ ଯୋଗଦେଇଥିଲେ ରାଉରକେଲା ବନଖଣ୍ଡ ଅଧିକାରୀ ଯଶବନ୍ତ ସେଠୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ପରିଷଦର ସଦସ୍ୟ ତଥା ସଙ୍ଗଠକ ଓ ସାହିତ୍ୟିକ ରାଜୀବ ପାଣି ଏବଂ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାସ। ଏହି ଅବସରରେ ଲେଖିକା ତଥା ସଙ୍ଗଠିକା ଡ ନିବେଦିତା ଜେନା, ସଙ୍ଗଠକ ଶୁଭକାନ୍ତ ପାଢ଼ୀ, ଭୁବନେଶ୍ୱରରୁ ଆସିଥିବା ସଙ୍ଗୀତ ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ରାଉତ ଓ କଳା ନିର୍ଦ୍ଦେଶକ ପ୍ରଜ୍ଞାଦତ୍ତ ସାହୁଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏହା ସହିତ ବରିଷ୍ଠ ନାଟ୍ୟ କଳାକାର ବୃନ୍ଦାବନ ବାରିକଙ୍କୁ ନଟରଙ୍ଗ-୨୦୦୨ ସ୍ୱତନ୍ତ୍ର ସମ୍ମାନ ଏବଂ ସେକ୍ଟର-୧ ଅଞ୍ଚଳର ୫ଜଣ ପିଲାଙ୍କୁ କୁନି ରଥ ପ୍ରଦର୍ଶନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଉତ୍କଳୀ ସାଂସ୍କୃତିକ ଶିଳ୍ପୀ ଅନୁଷ୍ଠାନର ସଭାପତି ବିଲୋଚନ ପାତ୍ର ଓ ସାଙ୍ଗଠନିକ ସମ୍ପାଦକ ସୁଶାନ୍ତ ଦାସଙ୍କ ସମେତ ଶୁଭଶ୍ରୀ ଦାସ, ରାନୁ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ସଭାକାର୍ଯ୍ୟର ସଂଯୋଜନା ମହେନ୍ଦ୍ର ମିଶ୍ର, ପ୍ରବୀର ଜେନା ଓ ଲୀନା ବିଶ୍ୱାଳ ପ୍ରମୁଖଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲେ। ରାଉରକେଲା ରୁ କ୍ୟାମେରା ମ୍ୟାନ୍ ମୃତ୍ୟୁଞ୍ଜୟ ଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।