ରାଉରକେଲା,(ସଂଘର୍ଷ ମିଡିଆ ) : ରାଉରକେଲା ମହାନଗର ଅଞ୍ଚଳରେ ସିୱେଜ ପରିଚାଳନାରେ କାର୍ଯ୍ୟ କରୁଥିବା ସଫେଇ ମିତ୍ରମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ୠଣ ଦିଆଯିବ। ସ୍ଵଳ୍ପ ସୁଧ ହାର ସହ ବିଭିନ୍ନ ଉପକରଣ କିଣାରେ ସେମାନଙ୍କୁ ସବସିଡ୍ ମିଳିବ। ଏଥିପାଇଁ ଶୁକ୍ରବାର ଦିନ ଛେଣ୍ଡସ୍ଥିତ ଆହୂତି ଭବନଠାରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ୠଣ ମେଳା ଆୟୋଜନ କରାଯାଇଥିଲା। ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଏହି ମେଳାକୁ ଉଦଘାଟନ କରିଥିଲେ। ଜାତୀୟ ସଫେଇ କର୍ମଚାରୀଙ୍କ ଆର୍ଥିକ ଉନ୍ନତିକରଣ ନିଗମ (ଏନଏସକେଏଫଡିସି) ପକ୍ଷରୁ ଏହି ଋଣ ପ୍ରଦାନ କରାଯାଉଛି। ଏହି ମେଳାରେ ବିଭିନ୍ନ ବ୍ୟାଙ୍କର ଅଧିକାରୀମାନେ ଉପସ୍ଥିତ ରହି ୧୮ ଜଣ ହିତାଧିକାରୀଙ୍କୁ ୠଣ ପ୍ରଦାନ ଲାଗି ଚିହ୍ନଟ କରିଛନ୍ତି। ହିତାଧିକାରୀମାନେ ୠଣ ନେଇ ବିଭିନ୍ନ ପ୍ରକାରର ସଫେଇ ମେସିନ୍ କିଣିପାରିବେ। ଏହି ମେସିନ୍ ସବୁକୁ ସିୱେଜ ପରିଚାଳନାରେ ବ୍ୟବହାର କରି ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହୋଇପାରିବେ। ସିୱେଜ ସଫେଇ ମିତ୍ରମାନେ ସେପ୍ଟିକ୍ ଟାଙ୍କି ସଫେଇ ସହିତ ମଳ ପରିଚାଳନାରେ ସାମିଲ ଅଛନ୍ତି। ସହରାଞ୍ଚଳ ପରିମଳ ପରିଚାଳନା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସେବା କ୍ଷେତ୍ରରେ ନିୟୋଜିତ ଏହି ସଫେଇ ମିତ୍ରମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନେ କରୁଥିବା ବିଭିନ୍ନ କାମ ଏଣିକି ମେସିନ୍ ସହାଯ୍ୟରେ କରାଯିବ। ଏହି ମେସିନ୍ କିଣିବା ଲାଗି ସେମାନଙ୍କୁ ୠଣ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମ ଡେପୁଟି କମିଶନର ସୁଧାଂଶୁ ଭୋଇ, ଏନଏସକେଏଫଡିସିର ଅଧିକାରୀ କ୍ରିଷ୍ଣା ଭଗତ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ଅଧିକାରୀଙ୍କ ସହିତ ବିଭିନ୍ନ ବ୍ୟାଙ୍କର ଅଧିକାରୀମାନେ ଉପସ୍ଥିତ ଥିଲେ। ସିୱେଜ ପରିଚାଳନା କାମରେ ଲାଗୁଥିବା ବିଭିନ୍ନ ପ୍ରକାରର ଯାନ୍ତ୍ରିକ ଉପକରଣ ଲୋନ୍ ମେଳାରେ ପ୍ରଦର୍ଶନ କରାଯାଇଥିଲା।