ପୁରୀ(ସଂଘର୍ଷ ମିଡିଆ) : – ମେଳଣରେ ନାଗ ସାପ ଶହ ଖେଳ। ପୁରୀ ଛଇତନା ମେଳଣରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ମେଳଣରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଆସିଥିବା ଜଣେ ଅଘୋରୀ କଳାକାର ସାପ ଶହ ଖେଳ ଖେଳୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଡିଜେର ଉଚ୍ଚ ଧ୍ବନିରେ ଶିବ ଭଜନ ବାଜୁଥିବା ବେଳେ ଅଘୋରି ଜଣକ ଶିବଙ୍କ ବେଶ ଧାରଣ କରି ହାତରେ ଜିଅନ୍ତା ନାଗ ସାପ ଧରି ନୃତ୍ୟ କରିଥଲେ। କେତେବେଳେ ଏହି ନାଗକୁ ବେକରେ ଗୁଡାଇ ଦେଉଛନ୍ତି ତ କେତେବେଳେ ପାଟିରେ ପୁରାଇ କାମୁଡୁଛନ୍ତି। ତେବେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ଏହା ବେଆଇନ ହୋଇ ଥିବା ବେଳେ ପଶୁପ୍ରେମୀ ମହଲରେ ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହେଇଛି। ଏଭଳି ବେନିୟମ କାର୍ଯ୍ୟ କରିଥିବା ଉକ୍ତ କଳାକାର ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ଦାବୀ ହୋଇଛି। ତେବେ ବନ ବିଭାଗ ଏହି ଘଟଣା ରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି ବୁଦ୍ଧିଜୀବୀ। ତେବେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଗତ କିଛି ଦିନ ତଳେ ପି ସିସିଏଫ୍ କଟକଣା ଜାରି କରିଥିଲେ। କୌଣସି ବ୍ୟକ୍ତି ବନ୍ୟଜନ୍ତୁଙ୍କ ସହ ଫୋଟୋ ନେଇ ସୋସିଆଲ ମିଡ଼ିଆରେ ପ୍ରଚାର ପ୍ରସାର ପାଇଁ ଅପଲୋଡ଼ କଲେ ବନ୍ୟଜନ୍ତୁ ସୁରକ୍ଷା ଆଇନ୍ ଅନୁଯାୟୀ କଡ଼ା କାର୍ଯ୍ୟନୁଷ୍ଠାନ ନେଇ ଚେତାବନୀ ଦେଇଥିଲେ ପି ସି ସି ଏଫ୍। ଏ ନେଇ କେତେକ ୟୁଟ୍ୟୁବରଙ୍କ ବିରୋଧରେ ମଧ୍ୟ ପି ସିସିଏଫ୍ କାର୍ଯ୍ୟନୁଷ୍ଠାନ ନେଇଥିଲେ।