ମହାପ୍ରଭୁଙ୍କ ଦର୍ଶନ କଲେ ଶହ ଶହ ପ୍ରବାସୀ ଭାରତୀୟ

18

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଜଗନ୍ନାଥ ଧାମରେ ପ୍ରବାସୀ ଭାରତୀୟ। ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶହ ଶହ ପ୍ରବାସୀ ଭାରତୀୟ। ଭୁବନେଶ୍ବରରେ ଆଜିଠାରୁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଉଦ୍ଘାଟିତ ହୋଇଛି। ତେବେ ଓଡ଼ିଶାକୁ ଆସିଥିବା ପ୍ରବାସୀ ଭାରତୀୟ ଙ୍କୁ ଓଡ଼ିଶାର କଳା ସଂସ୍କୃତି ଏବଂ ପରମ୍ପରାର ବିଷୟରେ ଅବଗତ କରାଇବା ସହ ଏକ ନିଆରା ଅନୁଭୂତି ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ପ୍ରବାସୀ ଭାରତୀୟଙ୍କୁ ଶ୍ରୀମନ୍ଦିରକୁ ଅଣାଯାଇ ମହାପ୍ରଭୁଙ୍କ ଦର୍ଶନ ପରେ କୋଣାର୍କ, ରାମଚଣ୍ଡୀ, ସାତପଡ଼ା, ଐତିହ୍ୟ ଗ୍ରାମ ରଘୁରାଜପୁର ଆଦି ପର୍ଯ୍ୟଟନସ୍ଥଳୀକୁ ନିଆଯାଇ ଓଡ଼ିଶାର ଗୌରବମୟ ଇତିହାସ ଏବଂ କଳା ସଂସ୍କୃତି ବିଷୟରେ ସୂଚନା ଦିଆଯାଉଛି। ତେବେ ଓଡ଼ିଶାର ଆକର୍ଷଣୀୟ କଳା ସଂସ୍କୃତି ଏବଂ ଇତିହାସ ବେଶ୍ ସମୃଦ୍ଧ ବୋଲି ପ୍ରବାସୀ ଭାରତୀୟ ମାନେ କହିଛନ୍ତି। ଓଡ଼ିଶାବାସୀ ଯେଉଁ ଆତିଥ୍ୟ ପ୍ରଦାନ କରିଛନ୍ତି ତାହା ଭୁଲିହେବ ନାହିଁ ବୋଲି ପ୍ରବାସୀ ଭାରତୀୟ କହିଛନ୍ତି। ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୁର ଥିବାବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ବେଶ୍ ମନମୁଗ୍ଧକର। ଏଣୁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଦ୍ବାରା ଓଡ଼ିଶାକୁ ଆସୁଥିବା ଅନେକ ପ୍ରବାସୀ ଭାରତୀୟ ଓଡିଶାରେ ପୁଞ୍ଜିନିବେଶ କରି ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି କରାଇବେ ବୋଲି ପ୍ରବାସୀ ଭାରତୀୟ କହିଛନ୍ତି। ପ୍ରବାସୀ ଭାରତୀୟ ଦିବସ ଅବସରରେ ପ୍ରବାସୀ ମାନଙ୍କୁ ଭରପୂର ମନୋରଂଜନ ଯୋଗାଇ ଦେବାପାଇଁ ପୁରୀରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପୁରୀ ବେଳାଭୂମିରେ ବିଚ୍ ଫେଷ୍ଟିଭାଲ ଆୟୋଜନ କରାଯାଇଛି। ଏହି ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ପାରମ୍ପାରିକ ନୃତ୍ୟ କଳା, ବିଭିନ୍ନ ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ସୁମଧୁର ଗୀତ ଦେଖିବାକୁ ଏବଂ ଶୁଣିବାକୁ ମିଳୁଛି। କେବଳ ସେତିକି ନୁହେଁ ପୁରୀ ବେଳାଭୂମିରେ ଭଳିକି ଭଳି ଡିଜାଇନର ବିଶାଳ ଗୁଡ଼ିକୁ ନେଇ କାଇଟ୍ ଫେଷ୍ଟିଭାଲ ମଧ୍ୟ ଅନୁଷ୍ଠିତ ହେଉଛି। ସେହିପରି ପୁରୀ ଗାନ୍ଧୀ ଘାଟରେ ପୁଷ୍ପ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି। ଏଥିସହ ନିଳାଦ୍ରୀ ବିଚ୍ ରେ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଇଛି। ବିଭିନ୍ନ ପରିତ୍ୟକ୍ତ ସାମଗ୍ରିକୁ ଚିତ୍ରଶିଳ୍ପୀ ମାନେ ବିଭିନ୍ନ ଆକର୍ଷଣୀୟ ଚିତ୍ରକଳା କରିଛନ୍ତି।‌ ଟାୟାରରେ ନିର୍ମାଣ ହୋଇଛି ସମୁଦ୍ର କଙ୍କଡା, ପ୍ଲାଷ୍ଟିକ ବୋତଲରେ ଜେଲିଫିସ୍ ସହ ବିଭିନ୍ନ ଅବ୍ୟବହୃତ ସାମଗ୍ରୀକୁ ନେଇ ବିଭିନ୍ନ ଚିତ୍ରକଳା କରିଛନ୍ତି ଚିତ୍ରଶିଳ୍ପୀ ମାନେ। ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକମାନେ ବେଶ୍ ଭିଡ ଜମାଉଛନ୍ତି। ତେବେ ପୁରୀ ବିଚ୍ ରେ ନୃତ୍ୟ, ଗୀତ, ଚିତ୍ରକଳା ଓ ପୁଷ୍ପ ପ୍ରଦର୍ଶନୀ ସହିତ ସନ୍ଧ୍ୟା ବେଳେ ସଜ୍ଜା ହୋଇଥିବା ରଙ୍ଗବେରଙ୍ଗର ଆଲୋକରେ ଶ୍ରୀକ୍ଷେତ୍ର ଏକ ନବବଧୂ ଭଳି ସଜେଇ ହୋଇଥିବା ବେଳେ ପ୍ରବାସୀ ଭାରତୀୟ ଏବଂ ପର୍ଯ୍ୟଟକଙ୍କୁ ଏହା ବେଶ୍ ଆମୋଦିତ କରୁଛି। ଆଗାମୀ ଦିନରେ ପୁରୀ ସାରା ବିଶ୍ବରେ ପର୍ଯ୍ୟଟନସ୍ଥଳୀ ରୂପରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିବ ବୋଲି ସମସ୍ତେ ଆଶା ରଖିଛନ୍ତି। ପ୍ରବାସୀ ଭାରତୀୟ ଙ୍କୁ ସ୍ବାଗତ କରିବା ପାଇଁ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ସୁରକ୍ଷା ପାଇଁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀ ଏସପି ବିନୀତ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ପୁରୀ ସହିତ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ପ୍ରବାସୀ ଭାରତୀୟ ଦିବସ ଅବସରରେ ପୁରୀ କୁ ପ୍ରବାସୀ ଭାରତୀୟ ମାନଙ୍କ ଆଗମନ ଜାରି ରହିଥିବା ବେଳେ ପୁରୀରେ ଆୟୋଜିତ ହୋଇଥିବା ସୁନ୍ଦର କାର୍ଯ୍ୟକ୍ରମକୁ ପ୍ରବାସୀ ଭାରତୀୟ ମାନେ ବେଶ୍ ପ୍ରଶଂସା କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More