ପୁରୀ(ସଂଘର୍ଷ ମିଡିଆ) : – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଭିଜିଲାନ୍ସ ଟିମ୍ ହାବୁଡ଼ରେ ପଡିଛନ୍ତି। ତେବେ ଜଣେ କଲେଜ୍ ଅଧ୍ୟକ୍ଷ ଅମାପ ସମ୍ପତି ଦେଖି ଭିଜିଲାନ୍ସ ଚକିତ ହେଇଛି। ସେ ପୁର୍ବରୁ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଥିଲେ। ସେ ବ୍ୟାପକ ଦୁର୍ନୀତି କରିଥିବା ନେଇ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ସୂଚନା ଅନୁଯାୟୀ ଏଯାଏ ତାଙ୍କର ପୁରୀରେ ୧୬ଟି ପ୍ଲଟ୍ ଥିବା ଜଣାଯାଇଛି। ତାଙ୍କର ତିନିଟି ବହୁମହଲାବିଶିଷ୍ଟ ଘର, ତିନିଟି ଦାମୀ କାର୍ ଓ ଗୋଟିଏ ବାଇକ୍ ଥିବା ମଧ୍ୟ ପାଇଛି ଭିଜିଲାନ୍ସ। ତିନିଟି ଦାମୀ କାରର ମୂଲ୍ୟ ୩୨ ଲକ୍ଷ ଟଙ୍କା ହେବ । ତାଙ୍କ ନାମରେ ୫୦ ଲକ୍ଷ ଟଙ୍କାର ସ୍ଥାୟୀ ଜମା ରହିଛି। ଏହାଛଡ଼ା କେତେ ଟଙ୍କାର ବୀମା ଓ ଅନ୍ୟ ପୁଞ୍ଜି ବିନିଯୋଗ ରହିଚି ତାହା ଖୋଳତାଡ଼ କରୁଛି ଭିଜିଲାନ୍ସ। ଆଜି ସକାଳୁ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ବଲାଙ୍ଗୀର ଅଫିସ୍ ଓ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରୁଛି। ପୁରୀ ଜିଲ୍ଲାରେ ଥିବା ୪ଟି ଘରେ ଭିଜିଲାନ୍ସ ଟିମ୍ ଚଢ଼ଉ କରୁଛି। ସୁଦର୍ଶନ ବେହେରାଙ୍କ ସମ୍ବଲପୁର ସ୍ଥିତ ପତ୍ନୀଙ୍କ କ୍ୱାର୍ଟର୍ସରେ ବି ଚଢ଼ଉ ଚାଲିଛି। ପୁରୀ, ସମ୍ବଲପୁର ଏବଂ ବଲାଙ୍ଗୀର ଜିଲ୍ଲାର ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ଉ ଜାରି ରଖିଛି। ସୁଦର୍ଶନ ବେହେରାଙ୍କ ବଲାଙ୍ଗୀରର ଅଫିସ, ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଜୟପୁର ପୈତୃକ ଗାଁ, ସତ୍ୟବାଦୀ ଥାନା ନାହାଳ, କାଶୀହରିପୁର, ସିମିଳି ସୋରିଷିଆପଦାରେ ଥିବା ସଂପର୍କୀୟଙ୍କ ଗାଁ ସମ୍ବଲପୁର ସ୍ଥିତ ସିଆରପିଏଫ୍ କ୍ୟାମ୍ପସରେ ଥିବା ପତ୍ନୀଙ୍କ କ୍ୱାର୍ଟର୍ସରେ ଚଢ଼ଉ କରୁଛି ଭିଜିଲାନ୍ସ।