ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧ ଜିଲ୍ଲାରେ ୫ ଟି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୦ ଗୋଟି ଉଚ୍ଚ ବିଦ୍ୟାଳୟକୁ ରୁପାନ୍ତରିତ କରାଯାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୨୪ ଗୋଟି ବିଦ୍ୟାଳୟକୁ ରୁପାନ୍ତରିତ କରାଯାଇଥିଲା । ତୃତୀୟ ପର୍ଯ୍ୟାୟରେ ଆଉ ୩୧ ଟି ଉଚ୍ଚ ବିଦ୍ୟାଳୟକୁ ରୁପାନ୍ତରିତ ଯୋଜନା ରେ ସାମିଲ କରାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି । ଏନେଇ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀକକ୍ଷଠାରେ ଆୟୋଜିତ ବୈଠକରେ ନୂତନ ଭାବରେ ରୂପାନ୍ତରିତ ବିଦ୍ୟାଳୟ ସଂପର୍କରେ ସୂଚନା ପ୍ରଦାନ କରାଯିବା ସହିତ ଆଗକୁ କିପରି କାର୍ଯ୍ୟ କରିବେ ସେ ସଂପର୍କରେ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ରୁପାନ୍ତରିତ ହୋଇଥିବା ବିଦ୍ୟାଳୟ ଗୁଡିକର କାର୍ଯ୍ୟକୁ ଅନୁଶୀଳନ କରି ତୃତୀୟ ପର୍ଯ୍ୟାୟ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଶ୍ରୀମିଶ୍ର ପରାମର୍ଶ ଦେଇଥିଲେ । ରୁପାନ୍ତରିତ ଯୋଜନାରେ ସରକାରଙ୍କ ଆଭିମୁଖ୍ୟକୁ ବୁଝିବା ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ନିଜେ ଶିକ୍ଷା ବିଭାଗର ଅଧିକାରୀ,ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟର ଆଲୁମିନି ସଦସ୍ୟମାନଙ୍କ ସହିତ ଆଲୋଚନା କରି ସଫଳ ଭାବରେ ଯୋଜନା କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ରୂପାନ୍ତରିତ ଯୋଜନା ଅନୁଯାୟୀ ପ୍ରତ୍ୟେକ ବିଦ୍ୟାଳୟରେ ଇ-ଲାଇବ୍ରେରୀ,ଇ-ପରୀକ୍ଷାଗାର,ସ୍ୱଛ ଶୌଚାଳୟ,ସ୍ୱଛ ପାନୀୟଜଳ,ସ୍ମାର୍ଟ ଶ୍ରେଣୀକକ୍ଷ ନିର୍ମାଣ କରିବା ସହିତ ବିଦ୍ୟାଳୟର ସମ୍ମୁଖ ଦ୍ୱାର ଓ ପାରିପାଶ୍ୱିର୍କ ଉନ୍ନତିକୁ ନିଶ୍ଚିତ ଭାବରେ କରାଇବାକୁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଯେଉଁ ବିଦ୍ୟାଳୟଗୁଡିକର କାର୍ଯ୍ୟ ସଂପୁର୍ଣ୍ଣ ହୋଇସାରିଛି ତାହା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଯୋଜନାରେ ଶିକ୍ଷା ବିଭାଗର ଶତପ୍ରତିଶତ ଦାୟିତ୍ୱ ରହିଥିବାବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ରୂପାନ୍ତରିତ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ଜିଲ୍ଲାପାଳ ଶ୍ରୀମିଶ୍ର ବୈଠକରେ ପରାମର୍ଶ ଦେଇଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନି କୁମାର ମେହେର ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ବୈଠଳର ଉଦ୍ଦେଶ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା,ଉପଜିଲ୍ଲା ପାଳ ସନତ କୁମାର ନାଏକ,ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ, ବୌଦ୍ଧ ବ୍ଲକ ବିଡିଓ ଅବିନାଶ ପାଣ୍ଡିଆ,ହରଭଙ୍ଗା ବିଡିଓ ସ୍ମିତା ରଥ,ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ପ୍ରଦିପ୍ତ କୁମାର ମହାନ୍ତିଙ୍କ ଓ ବିଭାଗୀୟ ଅଧିକାରୀଙ୍କ ସମେତ ନୂତନ ଭାବରେ ରୂପାନ୍ତରିତ ଯୋଜନାରେ ସାମିଲ ହୋଇଥିବା ବିଦ୍ୟାଳୟ ଗୁଡିକର ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦେଇଥଲେ । ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l