ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା ପାଇଁ ଆଜିଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

13

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା ପାଇଁ ଆଜିଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି ପବିତ୍ର ଅକ୍ଷୟ ତୃତୀୟ ଅବସରରେ ତିନିରଥର ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିଲା। ରଥ ନିର୍ମାଣ ପାଇଁ ଭୋଇ ସେବାୟତ ମାନେ ରଥଖଳାରେ ଆବଶ୍ୟକୀୟ କାଠ ପହଞ୍ଚାଇବା ପରେ କରତି ସେବାୟତମାନେ ତୁମ୍ୱ ନିର୍ମାଣ ପାଇଁ ଫାଶି କାଠ ଚିରଟ ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ତିନି ରଥ ପାଇଁ ତିନୋଟି ତୁମ୍ଭ କଟାଯାଇଛି। ରଥଖଳାର ଚତୁପାର୍ଶ୍ବକୁ ଧଳା କପଡ଼ା ଗୁଡାଯାଇ ରଥନିର୍ମାଣ କାର୍ଯ୍ୟ କରାଯାଉଛି। ପ୍ରାଥମିକ ଭାବରେ ତିନିରଥ ପାଇଁ ୪୨ ଗୋଟି ଚକର ଆବଶ୍ୟକତା ଥିବା ବେଳେ ୪୨ ଗୋଟି ତୁମ୍ୱର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ବିଶ୍ବକର୍ମା ଓ କରତି ସେବାୟତ।ରଥ ନିର୍ମାଣରେ ସମ୍ପୃକ୍ତ ସମସ୍ତ ସେବାୟତ ମାନେ ଅତ୍ୟନ୍ତ ନିଷ୍ଠାର ସହ ଶୁଦ୍ଧପୁତ ଭାବରେ ରଥନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ସାଧାରଣ ଲୋକଙ୍କ ଠାରୁ ରଥଖଳାକୁ ଦୂରରେ ରଖିବା ପାଇଁ ସମଗ୍ର ରଥଖଳାକୁ ଧଳାକପଡ଼ା ଦ୍ୱାରା ଆଦୃତ କରି ରଖାଯାଇଛି। ତିନି ରଥ ପାଇଁ ଭୋଇ ସେବାୟତ ମାନେ ୬ ଟି ତୁମ୍ବ ଯୋଗାଇବା ପରେ ରଥର ମୁଖ୍ୟ ବିଶ୍ଵକର୍ମା ନିର୍ଦ୍ଧିଷ୍ଟ ମାପ ଓ ସାଇଜ ଅନୁଯାୟୀ ତୁମ୍ବ ଗୁଡ଼ିକ ସାଇଜ କରୁଛନ୍ତି। ତେବେ ତୁମ୍ବ ନିର୍ମାଣ ସରିବା ପରେ ଏଥିରେ ବିନ୍ଧ ଅନୁକୂଳ କରାଯାଇ ଖୋଦେଇ ସହ ପଇ ଓ ଅର ପର୍ଯ୍ୟାୟ କ୍ରମେ ନିର୍ମାଣ କରାଯିବ। ସେପଟେ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନେ ରଥଯାତ୍ରା ପୂର୍ବରୁ ନିଜ ନିଜର କାର୍ଯ୍ୟ ଯେଭଳି ସମ୍ପାଦନା କରିବେ ସେ ନେଇ ପ୍ରୟାସ ଆରମ୍ଭ କରିଛନ୍ତି। ତେବେ ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ ରଥକାଠର ଆବଶ୍ୟକତା ଥିବାବେଳେ ଗତ ବର୍ଷ ୧୧୮ ଖଣ୍ଡ କାଠ ବଳକା ରହିଛି। ଆଜିସୁଦ୍ଧା ସମୁଦାୟ ୪୪୯ ଖଣ୍ଡ ରଥକାଠ ପୁରୀରେ ଆସି ପହଞ୍ଚିଛି। ପର୍ଯ୍ୟାୟ କ୍ରମେ ଅବଶିଷ୍ଟ ରଥକାଠ ଆସି ରଥଖଳାରେ ପହଞ୍ଚିଯିବ । ରଥ ସଂହିତା ଓ ଶିଳ୍ପ ଶାସ୍ତ୍ର ମୁତାବକ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରଥ ଅମିନ ଓ ବିଶ୍ଵକର୍ମା ମହାରଣାଙ୍କ ନିର୍ଦ୍ଦେଶରେ କରତିଆ ସେବକ ତୁମ୍ବ କାଟିବା କାର୍ଯ୍ୟ ଜାରୀ ରଖିଛନ୍ତି। ଏପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଭକ୍ତ ମାନେ ରଥ ନିର୍ମାଣ କାର୍ଯ୍ୟ ଦେଖି ନିଜକୁ ଭାଗ୍ୟବାନ ମନେ କରିଥିବା କହିଛନ୍ତି।‌

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More