ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ବିଶୋଇ ବ୍ଲକ ଛକ ସ୍ଥିତ ବଜରଙ୍ଗ ପୀଠ ପରିସରରେ ନୂତନ ରାଧାକୃଷ୍ଣ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗତକାଲି ରୀତିନୀତି ଅନୁସାରେ ନୂତନ ବିଗ୍ରହଙ୍କ ଗର୍ଭଧାନ କର୍ମ ସମାପନ ହେବା ପରେ ଆଜି ପଞ୍ଚ କର୍ମ,ସୂର୍ଯ୍ୟପୂଜା ଓ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଶତାଧିକ ମହିଳା ଓ ପୁରୁଷ ଭକ୍ତ କଳସ ଯାତ୍ରାରେ ଯୋଗଦେଇ କଳସ ବହି ବିଶାଳ ପଦଯାତ୍ରା କରି ନୂତନ ମନ୍ଦିର ପ୍ରାଙ୍ଗଣକୁ ପହଞ୍ଚିଥିଲେ।କଳସଯାତ୍ରା ଅବସରରେ ନଗରକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା।ଏଥିରେ ଖଣ୍ତପଡା ରାଧାମାଧବ ମନ୍ଦିରର ବିଦେଶିନୀ ଭକ୍ତା ଲୀଳାବତୀ ଦେବୀ ଦାସୀଙ୍କ ସହିତ ଅନ୍ୟ ସହଯୋଗୀ ମାନେ ରାଧାକୃଷ୍ଣ ଗୀତ ନୃତ୍ୟ ପରିବେଷଣ କରି ବିଶୋଇ ଅଞ୍ଚଳ ପରିକ୍ରମା କରିଥିଲେ। ପରେ ରୁଦ୍ରାଭିଷେକ ,ନୂତନ ବିଗ୍ରହଙ୍କ ମହାସ୍ନାନ କାର୍ଯ୍ୟ ସମାପନ ହୋଇଥିଲା।ଆଗାମୀ ୨ ଦିନ ଧରି ଅହରହ ନାମଯଜ୍ଞ ଓ ପ୍ରତିଷ୍ଠା କାର୍ଯ୍ୟ ଚାଲୁ ରହିବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି।ସେହିପରି ଆଜି ସନ୍ଧ୍ୟା ସମୟରେ ଭକ୍ତବିଳାଶ ପର୍ଯ୍ୟଟକ ମହାରାଜଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ, ଗୁରୁବାରରେ ଦୃଷ୍ଟିହୀନ ଭଜନ ସନ୍ଧ୍ୟା,ଶୁକ୍ରବାରରେ ଅହରହ ସଂକୀର୍ତ୍ତନ ,ଶନିବାର ଦିନ ସାଧକ ନାଗନନ୍ଦ ଦ୍ୱାରା ପ୍ରବଚନ ଓ ରବିବାର ଦିନ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ବିଶୋଇ ବ୍ଲକ ଛକ ବଜରଙ୍ଗ ପୀଠ କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।