ନରସିଂହପୁର ( ସଂଘର୍ଷ ମିଡିଆ ) : ନରସିଂହପୁର ବ୍ଳକ ମର୍ଦ୍ଦମେଖ ଗ୍ରାମରେ ୩୩/୧୧ କେଭି ବିଦ୍ୟୁତ ସବଷ୍ଟେସନ୍ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ନେଇ ଅବାଞ୍ଛିତ ବିଳମ୍ବ କରାଯାଉଥିବାରୁ କମଳାଡିହ, ରେଗେଡା, ଚକାମୁଣ୍ଡା, ବସନ୍ତପୁର, ଶରଧାପୁର, ବାଲିସାହି ଓ ଯୋଡୁମ ପଞ୍ଚାୟତର ପୁରୁଷ ମହିଳା ଆଜି ସବଷ୍ଟେସନ୍ ମୁଖ୍ୟ ଫାଟକ ତାଲା ପକାଇ ଧାରଣା ଦେଇଛନ୍ତି । ପ୍ରକାଶ ଥାଉକି, ନରସିଂହପୁର ପଶ୍ଚିମ ଅଞ୍ଚଳବାସୀ ବାରମ୍ବାର ଲାଇନ କଟିବା, ଲୋଭୋଲଟେଜ୍ ଆଦି ବିଭିନ୍ନ ସମସ୍ୟା ଭୋଗୁଥିବା ବେଳେ ସ୍ଥାୟୀ ସମାଧାନ ପାଇଁ ଉକ୍ତ ସବଷ୍ଟେସନର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଉଦଘାଟନ କରି ବାହାବାଃ ନବା ଉଦ୍ଦେଶ୍ୟରେ ବିଧାୟକ ଦେବୀ ମିଶ୍ର ଅଯଥା ବିଳମ୍ବ କରୁଥିବାରୁ ଅଞ୍ଚଳରେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଘଟଣା ସ୍ଥଳରେ ଟାଟା କମ୍ପାନୀର କର୍ତ୍ତୃପକ୍ଷ SDO ନିଗମ ପ୍ରସାଦ ପାଠି ଓ ନରସିଂହପୁର ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କା ଘଟଣା ସ୍ଥଳରେ ପହଞ୍ଚି ବିଦ୍ଯୁତ ସଂଯୋଗ ଦବାପରେ ଧାରଣା ପ୍ରତ୍ୟାହୃତ ହୋଇଛି। ଏଥିରେ ନରସିଂହପୁରର ବିଜେପି ନେତା ବିଜୟ କୁମାର ଦଳବେହେରାଙ୍କ ନେତୃତ୍ୱରେ ଜିଲାପରିସଦ ଜାନକୀ ପ୍ରଧାନ ଓ ବହୁ ଅଂଚଳ ବାସୀ ଯୋଗ ଦେଇଥିଲେ । ଏ ବିଷୟରେ ବିଜୁଳି ବିଭାଗର କୌଣସି ଅଧିକାରୀ କ୍ୟାମେରା ଆଗରେ କହିବାକୁ ମନା କରିଦେଇଥିଲେ।