ପୁରୀ (ସଂଘର୍ଷ ମିଡିଆ) :- ପୁରୀରେ ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ରାସ୍ତା ସଂପ୍ରସାରଣ କାର୍ଯ୍ୟ। ବାଟ ଗାଁ ଛକରୁ ହରେକୃଷ୍ଣପୁର ଛକ ଯାଏଁ ରାସ୍ତା ପ୍ରଶସ୍ତିକରଣ ନେଇ ମଙ୍ଗଳବାର ଠାରୁ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଗତ ମାସ ୨୫ରେ ମଧ୍ୟ ମେଡିକାଲ ଛକ ଠାରୁ ବାଟ ଗାଁ ଛକ ଯାଏଁ ରାସ୍ତା ପ୍ରଶସ୍ତିକରଣ ପାଇଁ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିସ୍ଥାପିତଙ୍କ ସହ ପ୍ରଶାସନ ଆଲୋଚନା କରି ଜନଶୁଣାଣୀ କରିବା ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଜେଲ୍ ରୋଡରେ ମଙ୍ଗଳବାର ଠାରୁ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାକୁ ସ୍ବାଗତ କରିଛନ୍ତି ବିସ୍ଥାପିତ ଓ ସହରବାସୀ। ପୁରୀ ମେଡିକାଲ ଛକ ଠାରୁ ବାଟ ଗାଁ ରାସ୍ତା ହେବ ଚାରି ଲେନ୍। ପୁରୀକୁ ଆସୁଥିବା ଭକ୍ତ, ପର୍ଯ୍ୟଟକଙ୍କୁ ଏଣିକି ଆଉ ଟ୍ରାଫିକ ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ। ଖୁବ୍ କମ୍ ସମୟରେ ପୁରୀ ବଡ଼ଦାଣ୍ଡରେ ଆସି ପହଞ୍ଚି ପାରିବେ ଭକ୍ତ ଓ ପର୍ଯ୍ୟଟକ। ରାସ୍ତା ସଂପ୍ରସାରଣ ନେଇ ଆରମ୍ଭ ହୋଇଛି ଉଛେଦ ପ୍ରକ୍ରିୟା। ପୂର୍ବରୁ ଏନେଇ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ବିସ୍ଥାପିତଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଇଛି। ଅନ୍ୟପଟେ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟକୁ ସ୍ବାଗତ କରିଛନ୍ତି ଉଭୟ ବିସ୍ଥାପିତ ଓ ସହରବାସୀ। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ବାଟ ଗାଁ ଛକ ଠାରୁ ମେଡିକାଲ ଛକ ଯାଏଁ ଥିବା ରାସ୍ତାକୁ ଚାରି ଲେନ୍ କରାଯିବ। ୧୧ଟି ମୌଜାର ୫ଏକର ଘରୋଇ ଜମି ଓ ୧ ଏକର ସରକାରୀ ଜମି ଥିବାରୁ ଖୁବଶୀଘ୍ର ପ୍ରଶାସନ ଏହାକୁ ଅଧିଗ୍ରହଣ କରିବା ପାଇଁ ଲକ୍ଷ୍ୟ ରଖିଛି। ତେବେ ଜମି ଅଧିଗ୍ରହଣ ପରେ ରାସ୍ତାର ଓସାର ୭୨ଫୁଟ ରହିବ। ରାସ୍ତା ସଂପ୍ରସାରଣ ପାଇଁ ମୋଟ ୫୬୮ଟି ପ୍ଲଟ ଅଧିଗ୍ରହଣ ହେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ୨୨୮ଟି ପ୍ଲଟ ନିଜ ଅକ୍ତିଆରକୁ ନେଇଛି। ଖୁବଶୀଘ୍ର ବିସ୍ଥାପିତଙ୍କୁ ଉଚିତ୍ କ୍ଷତିପୂରଣ ଦେଇ ଅନ୍ୟ ପ୍ଲଟ ଗୁଡିକ ପ୍ରଶାସନ ନିଜ ଅଧିନକୁ ନେବ ବୋଲି ଭୂଅର୍ଜନ ଅଧିକାରୀ ପ୍ରଶାନ୍ତ କୁମାର ଜେନା ଓ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ କହିଥିଲେ । ଆଗକୁ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବାରୁ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହେବ ଶ୍ରୀକ୍ଷେତ୍ରରେ। ତେଣୁ ଗମନାଗମନରେ ସୁବିଧା ଆଣିବା ପାଇଁ ରାଜ୍ୟ ସରକାର ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି। ସେହିପରି ସହରରେ ଏକାଧିକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି।