ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ସିରସି ପଞ୍ଚାୟତ ଅନ୍ତର୍ଗତ ସୋରିଷପଦର ଗ୍ରାମରେ ଏକ ବାଇକ୍କୁ ବସ୍ ଧକ୍କା ଦେବାରୁ ହୋମଗାର୍ଡ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ , ସିରସି ପଞ୍ଚାୟତ ଅନ୍ତର୍ଗତ ଦାଡିଆଗୁଡ଼ା ଗ୍ରାମର ନନ୍ଦ ଭତରା କୌଣସି କାମରେ ସୋରିଷପଦର ଆସିଥିଲେ । କାମ ସରିବା ପରେ ନିଜ ଗ୍ରାମ ଅଭିମୁଖେ ନନ୍ଦ ଭତରା ଏକ ବାଇକ୍ ( ଓଡି ୨୪ଏ ୨୪୮୬ ) ରେ ପାପଡ଼ାହାଣ୍ଡି ଆସୁଥିଲେ । ତେବେ ସୋରିଷପଦର ଗ୍ରାମରେ ପାପଡ଼ାହାଣ୍ଡିରୁ କୋଡ଼ିଙ୍ଗା ଯାଉଥିବା ଏକ ବସ୍ ( ଓଡି ୧୦୪ ୧୧୧୪ ) ବାଇକ୍କୁ ଧକ୍କା ଦେବାରୁ ନନ୍ଦ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ ।ଉମରକୋଟ ଅଞ୍ଚଳରୁ ବରଯାତ୍ରୀଙ୍କୁ ନେଇ ଏହି ବସ୍ କୋଡ଼ିଙ୍ଗା ଯାଉଥିଲା ବୋଲି ଜଣା ପଡ଼ିଛି । ଅନ୍ୟପଟେ ନନ୍ଦଙ୍କ ବାଇକ୍ ବସ୍ ତଳେ ଚାପି ହୋଇ ଯାଇଥିଲା । ଗୁରୁତର ନନ୍ଦଙ୍କୁ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ତେବେ ସ୍ଵାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଥିବାରୁ ପ୍ରାଥମିକ ଚିକିତ୍ସା ପରେ ନନ୍ଦଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କୋରାପୁଟ ଏସଏଲଏନ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁତର ନନ୍ଦ ଭତରା ପାପଡ଼ାହାଣ୍ଡି ଥାନାରେ ହୋମଗାର୍ଡ ଭାବେ କାମ କରୁଥିବା ବେଳେ ଡ୍ୟୁଟିରେ ଯୋଗ ଦେବା ପାଇଁ ଆସିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।