ପୁରୀ(ସଂଘର୍ଷ ମିଡିଆ) : – : ବହୁ ଆଡ଼ମ୍ବରରେ ଆରମ୍ଭ ହୋଇଛି ଛଇତନା ମେଳଣ। ଗୋପ ବ୍ଳକର ଏହି ପ୍ରସିଦ୍ଧ ମେଳଣ ଅବସରରେ ଗୁରୁବାର ରାତିରେ ଅନୁଷ୍ଠିତ ହୋଇଛି ଜମାଣ ଉତ୍ସବ । ନାଗା, ମେଢ଼ ରୋଷଣୀରେ ଗ୍ରାମ ଦେବତା ତଥା ଥାନପତି ବାବା ଗ୍ରାମେଶ୍ଵର, ଶ୍ରୀ ଦଧିବାମନ ଦେବ, ଗୋପିନାଥ ଦେବ ଓ ଭଗବତ ବାସୁଦେବଙ୍କୁ ଜମାଣ ଉତ୍ସବରେ ନିଆଯାଇ ପଡ଼ିଆ ବିଜେ କରାଯାଇଛି। ପ୍ରଭୁଙ୍କୁ ଖୁଣ୍ଟ ଲାଗି କରାଯିବା ପରେ ପଡ଼ୋଶୀ ଗ୍ରାମର ଠାକୁରମାନେ ପଡ଼ିଆ ବିଜେ କରିଛନ୍ତି। ତେବେ ଜମାଣ ପାଇଁ ଛଇତନା ଗାଁ ଦାଣ୍ଡ ସହ ମେଳଣ ପଡ଼ିଆରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ମଧ୍ଯ ରାତିରେ ପ୍ରଥମେ ଗାଁର ୪ ସାହିରେ କାଳୀ ପୂଜା ନୀତି ସମ୍ପର୍ଣ୍ଣ ହୋଇଥିଲା। ପରେ ନାଗା ଓ ମେଢ଼ ସହ ବିଭିନ୍ନ ସାଜସଜ୍ଜା ପ୍ରସ୍ତୁତ ହୋଇଥିଲା। ରାତି ସାଢ଼େ ୧୨ଟାରେ ୪ ସାହି ରୋଷଣୀ ବାହାରି ଥିଲା । ସମସ୍ତ ସାହିର ରୋଷଣୀରେ ମୋଟ ୧୪ଟି ନାଗା ଓ ୧୦ଟି ମେଢ଼ ସହ ଅନ୍ୟାନ୍ୟ ସାଜସଜ୍ଜା ଆସି ଗ୍ରାମେଶ୍ଵରଙ୍କ ମନ୍ଦିର ସମ୍ମୁଖରେ ଏକତ୍ର ହୋଇଥିଲେ। ଏହାପରେ ମନ୍ଦିରର ଦକ୍ଷିଣ ଦ୍ଵାର ଦେଇ ଠାକୁର ବାହାରିଥିଲେ। ପାଲିଙ୍କି ଓ ଦୋଳରେ ବିଜେ ହେବା ପରେ ନାଗା, ମେଢ଼ମାନେ ପ୍ରଭୁଙ୍କୁ ପରମ୍ପରା ଅନୁଯାଇ ସଲାମ୍ ଦେଇଥିଲେ। ପରେ ମହାବୀର ମନ୍ଦିର ଯାଇ ବୀର ହନୁମାନଙ୍କ ଆଶିଷ ନେବା ପରେ ସମସ୍ତ ରୋଷଣୀ ମେଳଣ ପଡ଼ିଆ ଅଭିମୁଖେ ବାହାରିଥିଲା। ଗାଁ ଦାଣ୍ଡରେ ଡ୍ରାଗନ୍ ଓ ପକ୍ଷୀ ନାଗା ଦେଖାଇଥିଲା ମୁରାଟ। ବାଜାର ତାଳେ ତାଳେ ବୀରତ୍ଵ ଦେଖାଇଥିଲା ନାଗା। ଦୁର୍ଗା, କାଳୀ, ଗଣେଶ, ନୃସିଂହ ଓ ପର୍ଶୁରାମ ମେଢ଼ ନୃତ୍ୟ ଦର୍ଶକଙ୍କ ମନ ଜିଣିଥିଲା। କଳ ଘୋଡ଼ା, ଚଇତି ଘୋଡ଼ା, ବୁଢାବୁଢ଼ୀ ନୃତ୍ୟ ସହ ବୀର ବାଦ୍ୟର ତାଳେ ତାଳେ ପାଇକ ଖେଳ, ନିଆଁ ଓ ବାଡ଼ି ବନାଟି ବୁଲାଇ ଗ୍ରାମବାସୀମାନେ ଜମାଣକୁ ଭର୍ପୁର୍ ଉପଭୋଗ କରିଥିଲେ। ମଧ୍ୟ ରାତ୍ରିରୁ ଆରମ୍ଭ ହୋଇ ଜମାଣ ଶୁକ୍ରବାର ସକାଳ ୬ଟାରେ ଶେଷ ହୋଇଥିଲା । ଗ୍ରାମ ମୁରବୀ ଓ ଅତିଥିଙ୍କ ସମ୍ମୁଖରେ ନାଗା ଏବଂ ମେଢ଼ ସେମାନଙ୍କ ନୃତ୍ୟ କୌଶଳ ପ୍ରଦର୍ଶନ କରିବା ପରେ ଜମାଣ ଉଦ୍ଯାପିତ ହୋଇଥିଲା। ମେଳଣ ପରିଚାଳନା କମିଟି ପକ୍ଷରୁ ପଡ଼ୋଶୀ ଠାକୁରଙ୍କୁ ସ୍ବାଗତ କରାଯିବା ସହ ଖୁଣ୍ଟ ଲାଗି କରାଯାଇଛି। ପଡ଼ୋଶୀ ଗ୍ରାମମାନଙ୍କରୁ ଅନେକ ଶ୍ରଦ୍ଧାଳୁ ଜମାଣ ଦେଖିବା ପାଇଁ ଗାଁ ଦାଣ୍ଡରେ ଭିଡ଼ ଲଗାଇଥିଲେ। ଏପରିକି ଛାତ ଉପରେ ମଧ୍ୟ ଲୋକଙ୍କ ଭିଡ଼ ପରିଲିଖିତ ହୋଇଥିଲା । ଭିଡ଼ ନିୟନ୍ତ୍ରଣ କରିବା ପାଇଁ ସଦର ଥାନା ଆଇଆଇସି ଭାବଗ୍ରାହୀ ରାଉତ, ବାଲିଘାଇ ବିଟ୍ ହାଉସ୍ ଅଧିକାରୀ ଶିଶିର ମହାନ୍ତି ଓ ତାଙ୍କ ଟିମ୍ ରାତି ତମାମ ନାକେଦମ୍ ହୋଇଥିଲେ। ସେବାୟତ ଶଙ୍କର୍ଷଣ ଦୀକ୍ଷିତ, ବିକ୍ରମ ଦୀକ୍ଷିତ, ନିରଞ୍ଜନ ଦୀକ୍ଷିତ, ବେଣୁଧର ଆଚାର୍ଯ୍ୟ, ଓମ୍ପ୍ରସାଦ ଆଚାର୍ଯ୍ୟ, ପ୍ରମୋଦ ରାୟଗୁରୁ, ଅଛବ ରାଉଳ, ରବୀନ୍ଦ୍ର ରାଉଳଙ୍କ ସହ ଦେଉଳ କରଣ ପ୍ରଦୀପ୍ତ କୁମାର ମହାନ୍ତି ଠାକୁରଙ୍କ ନୀତି ସମାପନ କରିଥିଲେ। ମେଳଣ ଶାନ୍ତି କମିଟି ସମ୍ପାଦକ ପାର୍ବତୀ ଚରଣ ପଟ୍ଟନାୟକ ଏବଂ ୪ ସାହିର ମୁରବୀମାନେ ଜମାଣ ପରିଚାଳନା କରିଥିବାବେଳେ ଗ୍ରାମବାସୀମାନେ ସହଯୋଗ କରିଥିଲେ । ପଡ଼ିଆରେ ମୋଟ ୩୧ଟି ଦୋଳରେ ଠାକୁର ଏକାଠି ହୋଇଛନ୍ତି। ଗୁରୁବାର ଜମାଣ ଉତ୍ସବ ପରେ ଶୁକ୍ରବାର ମେଳଣ ଓ ଶନିବାର ଆତସବାଜି ପ୍ରତିଯୋଗିତା କାର୍ଯ୍ୟକ୍ରମ ରହିଛି।