ପୁରୀ(ସଂଘର୍ଷ ମିଡିଆ) : – ବଡ଼ଦାଣ୍ଡରେ ନିର୍ମାଣ ହେବ ଟନେଲ୍ ସଦୃଶ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ସେଡ୍ ପାଥ୍ ୱେ। ବଡ଼ଦାଣ୍ଡର ଶନି ମନ୍ଦିର ଗଳି ଠାରୁ ଶ୍ରୀକୃଷ୍ଣ ସିନେମା ହଲ୍ ଗଳି ଯାଏଁ ରାସ୍ତାର ଗୋଟିଏ ପାର୍ଶ୍ୱରେ ଏହି ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ସେଡ୍ ପାଥ୍ ୱେ ନିର୍ମାଣ ହେବ। ଫଳରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ଏହି ଶୀତତାପ ନିୟନ୍ତ୍ରିତ ସେଡ୍ ପାଥ୍ ୱେ ରେ କିଛି ସମୟ ବିଶ୍ରାମ ନେଇପାରିବେ। ଫଳରେ ପ୍ରବଳ ଗୁଳୁଗୁଳି ଗରମରୁ ଭକ୍ତ ମାନେ ରକ୍ଷା ପାଇପାରିବେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ଜାନୁଆରୀ ୧୭ରେ ଲୋକାର୍ପଣ ହେବାକୁ ଥିବାବେଳେ ଏହା ପୂର୍ବରୁ ଏହି ଶୀତତାପ ନିୟନ୍ତ୍ରିତ ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପ୍ରଶାସନ ଲକ୍ଷ ରଖିଛି। ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ମର୍ଚ୍ଚିକୋଟ ଛକ ଯାଏଁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇ ଶ୍ରୀସେତୁ ନିକଟରେ ଥଇଥାନ କରାଯିବ। ସେପଟେ ଏହି ପ୍ରକଳ୍ପ କୁ ଉଠାଦୋକାନୀ ସମର୍ଥନ କରିଥିବା ବେଳେ ଉଛେଦ ହେଉଥିବା ଉଠା ଦୋକାନୀଙ୍କୁ ଉପଯୁକ୍ତ ଆର୍ଥିକ ସହାୟତା ସହ ଥଇଥାନ କରିବାକୁ ଦାବି କରିଛନ୍ତି ଉଠା ଦୋକାନୀ ସଂଘ। ବିଭିନ୍ନ ପର୍ବପର୍ବାଣୀ ସମୟରେ ବଡ ଦଣ୍ଡ ର ମାର୍କେଟ ଛକ ଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ମାଳ ମାଳ ଉଠା ଦୋକାନୀ ରାସ୍ତା ଉପରେ ବସିଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଫଳରେ ସ୍ଥାନୀୟ ବାସିନ୍ଦା ଓ ଭକ୍ତମାନେ ଯିବା ଆସିବା ନେଇ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସେହିପରି ବିଭିନ୍ନ ପର୍ବପର୍ବାଣି ରେ ଉଠା ଦୋକାନୀଙ୍କୁ ଦୋକାନ ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଉଥିବାରୁ ଅନେକ ସମୟରେ ବ୍ୟବସାୟ ମଧ୍ୟ ବାଧାପ୍ରାପ୍ତ ହେଉଛି। ଯାହାକୁ ନେଇ ଉଠା ଦୋକାନୀ ମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଏଣୁ ଉଠାଦୋକାନୀ ଙ୍କୁ ଉଛେଦ କରାଯାଇ ଶ୍ରୀସେତୁ ଠାରୁ ମଙ୍ଗଳାଘାଟ ପର୍ଯ୍ୟନ୍ତ ସ୍ଥାନରେ ଥଇଥାନ କରାଗଲେ ଉଠା ଦୋକାନୀ ମାନେ ବେଶ୍ ଉପକୃତ ହୋଇପାରିବେ। ବଡ଼ଦାଣ୍ଡରେ ଗହଳି କମିବା ସହ ଭକ୍ତମାନଙ୍କ ଯିବା ଆସିବା ରେ ମଧ୍ୟ କୌଣସି ବାଧା ସୃଷ୍ଟି ହେବ ନାହିଁ।ଆସନ୍ତା ଡିସେମ୍ବର ୫ ତାରିଖ ମଧ୍ୟରେ ବଡ଼ଦାଣ୍ଡର ମର୍ଚ୍ଚିକୋଟ ଛକରେ ଥିବା ଉଠା ଦୋକାନୀଙ୍କୁ ଉଠିଯିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ବଡ଼ଦାଣ୍ଡର ମର୍ଚ୍ଚିକୋଟ ଛକରେ ପ୍ରଥମ ପର୍ଯ୍ୟାୟରେ ଉଠା ଦୋକାନୀଙ୍କୁ ଉଚ୍ଛେଦ ପରେ ଦ୍ବିତୀୟ ପର୍ଯ୍ୟାୟରେ ମର୍ଚ୍ଚିକୋଟ ଛକ ଠାରୁ ମାର୍କେଟ ଛକ ଯାଏଁ ସମସ୍ତ ଉଠା ଦୋକାନୀଙ୍କୁ ହଟାଯାଇ ରାସ୍ତାକୁ ଅବରୋଧ ମୁକ୍ତ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।