ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ବଙ୍ଗୋପସାଗରରେ ଆଣ୍ଡାମାନ ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ଅବପାତ ରୂପ ନେବା ସହିତ ପରବର୍ତ୍ତୀ ୪୮ଘଣ୍ଟାରେ ଅର୍ଥାତ ଆସନ୍ତା ୧୬ ତାରିଖ ସୁଦ୍ଧା ସାମୁଦ୍ରିକ ବାତ୍ୟାର ରୂପ ନେବ ବୋଲି ଆକଳନ କରାଯାଇଛି। ତେବେ ଏହି ବାତ୍ୟା ଓଡ଼ିଶା ମୁହାଁଇବ କି ନା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପାଣିପାଗ ବିଭାଗ ବୁଲେଟିନ ଅନୁସାରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତା ୧୫ତାରିଖ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରାଞ୍ଚଳରେ ଏହା ଅବପାତରେ ପରିଣତ ହେବ। ୧୬ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଅଧିକ ତୀବ୍ର ରୂପ ନେଇ ଦକ୍ଷିଣ ପଶ୍ଚିମ ଏବଂ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ତୀବ୍ର ସାମୁଦ୍ରିକ ଝଡ଼ ରୂପରେ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଏହା ପ୍ରଥମେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହାପରେ ଝଡ଼ ଦିଗ ବଦଳାଇ ଉତ୍ତର-ଉତ୍ତରପୂର୍ବ ଦିଗରେ ମୁହାଁଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।