ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ସଦର ମହକୁମା ଠାରେ ଓଡିଶା ପ୍ରାଥମିକ ଶିକ୍ଷକ (ନୂତନ ପେନସନ୍ ଯୋଜନା ଭୁକ୍ତ) ସଂଗଠନ ପକ୍ଷରୁ ସେମାନଙ୍କ ନ୍ୟାର୍ଯ୍ୟ ଦାବି ପ୍ରଦାନ ନିମନ୍ତେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପରିକ୍ରମା କରିବା ସହ ଦାବି ପୂରଣ ନିମନ୍ତେ ସ୍ମାରକପତ୍ର ପ୍ରଦାନ କରାଯାଇଥିବାର ଜଣାପଡିଛି । ଆଜି ଗୋଷାଣୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଓଡିଶା ପ୍ରାଥମିକ ଶିକ୍ଷକ ସଂଗଠନର ସଭାପତି ଏମ୍. ଉମାପତିଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ଏକତ୍ରିତ ହୋଇ ମଧ୍ୟାହ୍ନ ୧୨ଘଣ୍ଟା ସମୟରେ ଏକ ବିଶାଳ ରାଲିରେ ବାହାରି ବିଭିନ୍ନ ସ୍ଲୋଗାନମାନ ଦେଇ ପରିକ୍ରମା କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷାମନ୍ତ୍ରୀ, ଶିକ୍ଷା ସଚିବ ଓ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଉକ୍ତ ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ, ଶିକ୍ଷାସହାୟକ କାର୍ଯ୍ୟକାଳ (୬ବର୍ଷ) ଅବଧିକୁ ମୁଖ୍ୟ ଚାକିରୀରେ ଗଣନା କରିବା ସହ ସମସ୍ତ ସରକାରୀ ଆର୍ଥିକ ସୁବିଧା ପ୍ରଦାନ କରିବା, ନୂତନ ପେନ୍ସନ୍କୁ ଉଚ୍ଛେଦକରି ପୁରୁଣା ପେନ୍ସନ୍ ଯୋଜନା ପ୍ରଚଳନ କରିବା, ଓଡିଶା ମାଟିରୁ ଠିକା ନିଯୁକ୍ତି ବନ୍ଦ କରି ସମସ୍ତ ଶିକ୍ଷା ସହାୟକ/କଣ୍ଟ୍ରାଚୁଆଲକୁ ନିୟମିତ କରିବା, ପ୍ରାଥମିକ ଶିକ୍ଷକ ମାନଙ୍କ ମୂଳ ଦରମାରେ ୬ଷ୍ଠ ବେତନ କମିଶନ ଅନୁଯାୟୀ ୨୮୦୦ଟଙ୍କା ଗ୍ରେଡ୍ପେ ପ୍ରଦାନ କରିବା ଆଦି ଦାବି ରହିଛି । ତୁରନ୍ତ ସରକାର ଏହି ଦାବି ଗୁଡିକୁ ପୁରଣ ନ କଲେ ଆଗାମୀ ଦିନରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସ୍କୁଲ ବନ୍ଦ କରିବା ସହ ଆନ୍ଦୋଳାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ମନୋଜ କୁମାର ଗନ୍ତାୟତ, ବ୍ଲକ ସମ୍ପାଦକ ପି.ଭେଙ୍କେଟେଶ୍ୱରୁଲୁ, କୋଷାଧ୍ୟକ୍ଷ ଟି.ତିରୁପତି ରାଓ, ରାମ ଚନ୍ଦ୍ର ମିଶ୍ର, ଜଗଦିଶ ପାତ୍ର, ଏନ୍.ନାନା ରାଓ, ଟି.କ୍ରିଷ୍ଣା ରାଓ ପ୍ରମୁଖଙ୍କ ସହିତ ବ୍ଲକର ପ୍ରାୟ ୫୦୦ ଶିକ୍ଷକ/ଶିକ୍ଷୟତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଉପସଭାପତି କୈାଳାସ ସାହାନୀ ଧନ୍ୟବାଦ ପ୍ରଦାନ କରିଥିଲେ ।