କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : ପେଟ ପୋଷିବାକୁ ଯାଇଥିଲେ ଦୁବାଇ । ଆଶା ଥିଲା ଟଙ୍କା ରୋଜଗାର କରିବେ, ପିଲାଙ୍କୁ ପଢ଼ାଇବେ, ଘର ଚଳାଇବେ, ସୁଖରେ ରହିବେ । ପରିବାରର ଲୋକମାନେ କେତେ ଆଶା ବାନ୍ଧିଥିଲେ । ହେଲେ ଦି’ଟା ମାସ ଯାଇନାହିଁ , ଚାଲିଗଲା ତାଙ୍କର ଜୀବନ, ତାଙ୍କର ମୃତ୍ୟୁ କରୋନାରେ ହୋଇଥିବା ସନ୍ଦେହ କରାଯାଉଛି । ଦୁବାଇ ଡ଼ାକ୍ତରଖାନାରେ ପଡ଼ିଛି ଶବ । କାନ୍ଦିକାନ୍ଦି ଲୋଟୁଛନ୍ତି ପରିବାର ଲୋକ, ଏବେ ଚିନ୍ତା ଶବ ଆସିବ କେମିତି ? ଦୁବାଇରୁ ଶବ ଆଣିବା ପାଇଁ ଜିଲା ପ୍ରଶାସନ ନିକଟରେଫେରାଦ ହୋଇଛନ୍ତି ମୃତକଙ୍କ ପରିବାର ।ଘଟଣାଟି କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ଅଞ୍ଚଳର । ଏହି ଅଞ୍ଚଳର ଜଣେ ପାଣି ପାଇପ୍ ମିସ୍ତ୍ରୀ ଗଲା ମାର୍ଚ୍ଚ ମାସରେ ଦୁବାଇ ଯାଇଥିଲେ କାମ କରିବା ପାଇଁ । ଏକ ଘରୋଇ କମ୍ପାନୀରେ ସେ କାମ କରୁଥିଲେ । ମାତ୍ର ସେଠାରେ ତାଙ୍କ ଦେହ ଅକସ୍ମାତ ଖରାପ ହେଲା, ତାଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଗଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁର କାରଣ କରୋନା ବୋଲି ସେଠାରେ ତାଙ୍କର ସହଯୋଗୀ ମିସ୍ତ୍ରୀମାନେ ତାଙ୍କ ଘରକୁ ଫୋନ୍ କରି ସୂଚନା ଦେଇଛନ୍ତି । ତେବେ ଯେଉଁ ଘରୋଇ କମ୍ପାନୀରେ କାମ କରିବାକୁ ବାବାଜୀ ଯାଇଥିଲେ ସେ କମ୍ପାନୀ ପକ୍ଷରୁ ଏ ପର୍ଯ୍ୟନ୍ତ ମୃତ୍ୟୁର କାରଣ ସମ୍ପର୍କରେ କିଛି ସୂଚନା ଦିଆଯାଇନାହିଁ । ବାବାଜୀଙ୍କ ପରିବାର ଏହି ଖବର ପାଇ ଭାଙ୍ଗି ପଡ଼ିଛନ୍ତି । ଜିଲା ପ୍ରଶାସନ ଏ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ଜିଲାପାଳ ମଧ୍ୟ ଏହି ସୂଚନା ପାଇବା ପରେ ତାଙ୍କ ପରିସରରେ ପୀଡ଼ିତ ପରିବାର ପାଇଁ ଯାହା ସମ୍ଭବ ତାହା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।