ପୁରୀ ମେଡ଼ିକାଲରେ ରୋଗୀଙ୍କ ଉତ୍ତେଜନା, ଭୁଲ୍ ମେଡ଼ିସିନ୍ ଦେଇଥିବା ଅଭିଯୋଗ

17

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ପୁରୀ ମେଡ଼ିକାଲରେ ରୋଗୀଙ୍କ ଉତ୍ତେଜନା । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଜଣେ ରୋଗୀଙ୍କ ହାତରେ କ୍ଷତ ହୋଇଥିବାରୁ ବିନ୍ଧା କମିବା ଔଷଧ ଦେବା ବଦଳରେ ‘ନିରାମୟ’ରେ ହୃଦରୋଗ ଜନିତ ଔଷଧ ଦେଇଛନ୍ତି । ଯେଉଁଥିପାଇଁ ସମ୍ପୃକ୍ତ ରୋଗୀ ଛାତି ଯନ୍ତ୍ରଣାର ଶିକାର ହୋଇ ମଙ୍ଗଳବାର ରାତିରେ ମେଡ଼ିକାଲରେ ଆଡ଼ମିସନ୍ ହୋଇଛନ୍ତି । ସୁଚନା ଅନୁଯାୟୀ, ଚୁଡ଼ଙ୍ଗ ସାହିର ଶିବ ପାଢ଼ୀ ଗୌଡୀୟ ମଠ ତଳେ ଏକ ଲେମ୍ବୁପାଣି ଦୋକାନ କରିଛନ୍ତି । ମଙ୍ଗଳବାର ସକାଳେ ତାଙ୍କ ବାମ ହାତରେ ଏକ ଦୁର୍ଘଟଣାରୁ କ୍ଷତ ହୋଇଥିଲା । ଏନେଇ ସେ ସକାଳ ୮ଟାରେ ପୁରୀ ମେଡ଼ିକାଲ ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଡାକ୍ତର ତାଙ୍କ ପ୍ରେସକ୍ରିପସନ୍‌ରେ ଏକ ଟିଟାନସ୍ ନେବାକୁ କହିବା ସହ ଦରଜ କମିବା ପାଇଁ ମେଡ଼ିସିନ୍ ଲେଖିଥିଲେ । ଶିବ ଟିଟାନସ୍ ନେବା ପରେ ‘ନିରାମୟ’ କେନ୍ଦ୍ରକୁ ମେଡ଼ିସିନ୍ ପାଇଁ ଯାଇଥିଲେ । ସେଠାରେ ତାଙ୍କୁ ହାତରୁ ଦରଜ କମିବା ମେଡ଼ିସିନ୍ ଦେବା ବଦଳରେ ‘କ୍ଲପିଡଗ୍ରେଲ୍‌’ ନାମକ ହୃଦ୍‌ଘାତ ଯନ୍ତ୍ରଣାରୁ ମୁକ୍ତି ପାଇବା ମେଡ଼ିସିନ୍ ଦେଇଥିଲେ । ଏହି ମେଡ଼ିସିନ୍ ନେଇ ଶିବ ତାଙ୍କ ଘରେ ଖାଇଥିଲେ । କିଛି ସମୟ ପରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ସେ ବହୁତ କଷ୍ଟ ସହିଥିଲେ । ଦିନ ୨ଟାରେ ସେ ପୁଣି ମେଡ଼ିକାଲ ଯାଇଥିଲେ । ସେଠାରେ ଡାକ୍ତରଙ୍କୁ ମେଡ଼ିସିନ୍ ଦେଖାଇଥିଲେ । ଏହି ସମୟରେ ଡାକ୍ତର ‘କ୍ଲପିଡଗ୍ରେଲ୍‌’ ମେଡ଼ିସିନ୍ କାହିଁକି ଖାଉଛ ବୋଲି ପଚାରିଥିଲେ । ପରେ ସେ ପ୍ରେସକ୍ରିପସନ୍ ଦେଖାଇବାରୁ ସେଥିରେ ଅନ୍ୟ ଏକ ମେଡ଼ିସିନ୍ ଲେଖାଯାଇଥିବା ଜଣାପଡ଼ିଥିଲା ତେବେ ନିରାମୟ କେନ୍ଦ୍ରର ଭୁଲ୍ ଯୋଗୁଁ ଏଭଳି ଭୁଲ୍ ମେଡ଼ିସିନ୍ ଖାଇଦେଇଥିବା ଶିବ ଜାଣିବାକୁ ପାଇଥିଲେ । ଏନେଇ ସେ ନିରାମୟ କେନ୍ଦ୍ରରେ ଅଭିଯୋଗ କରିଥିଲେ ବି କେହି ଶୁଣିନଥିଲେ । ରାତି ୯ଟାରେ ତାଙ୍କ ଛାତିରେ ଅଧିକ ଯନ୍ତ୍ରଣା ହେବାରୁ ସେ ମେଡ଼ିକାଲରେ ଆଡ଼ମିସନ୍ ହୋଇଥିବା ଜଣାପଡ଼ିଛି । ତେବେ ଡାକ୍ତରଙ୍କ ଅକ୍ଷରକୁ ନିରାମୟରେ ଥିବା ଫାର୍ମାସିଷ୍ଟମାନେ ପଢିନପାରିବାରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More