ପୁରୀ(ସଂଘର୍ଷ ମିଡିଆ) : – ପୁରୀ ପୌରାଞ୍ଚଳରେ ବଢ଼ିଚାଲିଛି ଲୋକଙ୍କ ଦୁର୍ଦ୍ଦଶା। ସାମାନ୍ୟ ମୌଳିକ ସୁବିଧା ପାଇପାରୁ ନାହାନ୍ତି ପୁରୀ ପୌରାଞ୍ଚଳ ବାସିନ୍ଦା। ବିଭିନ୍ନ ଦାବିକୁ ନେଇ ପୁରୀ ପୌର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟିଲେ ପୂର୍ବତନ କାଉନସିଲର। ବିଜୁ ଯୁବ ଜନତା ଦଳର ଉପସଭାପତି ସୁନିଲ୍ ମହାନ୍ତିଙ୍କ ନେତୃତ୍ବରେ ସମସ୍ତ ଓ୍ବାର୍ଡର ପୂର୍ବତନ ବିଜେଡ଼ି କାଉନସିଲର ମାନେ ଭେଟିଛନ୍ତି ପୁରୀ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ। ପୁରୀ ପୌରାଞ୍ଚଳର ବିଭିନ୍ନ ଓ୍ବାର୍ଡରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସମାଧାନ ନେଇ କରିଛନ୍ତି ଆଲୋଚନା। ପୌରାଞ୍ଚଳର ବିଭିନ୍ନ ଓ୍ବାର୍ଡରେ ଥିବା ସମସ୍ୟା ସମାଧାନ ଦିଗରେ ପୁରୀ ପୌରପାଳିକାର ଅବହେଳାକୁ ନେଇ ପୂର୍ବତନ କାଉନସିଲର ମାନେ ପ୍ରକାଶ କଲେ ଉଦବେଗ। ଗତ ୫ବର୍ଷ ହେବ ପୁରୀରେ ପୌର ନିର୍ବାଚନ ହୋଇନଥିବାରୁ ପୌର ପରିଷଦ ଗଠନ ହୋଇପାରିନାହିଁ। ଓ୍ବାର୍ଡ ଗୁଡ଼ିକରେ ନିର୍ବାଚିତ ଲୋକ ପ୍ରତିନିଧି ତଥା କାଉନସିଲର ନଥିବାରୁ ଓ୍ବାର୍ଡ ଗୁଡ଼ିକରେ ଥିବା ମୌଳିକ ସମସ୍ୟା ସମାଧାନ ହୋଇପାରୁନାହିଁ। ଆଗକୁ ପାର୍ବଣ ରୁତୁ ଆସୁଥିବା ବେଳେ ଓ୍ବାର୍ଡ ଗୁଡ଼ିକରେ ଥିବା ରାସ୍ତାଘାଟ ସମସ୍ୟା ସମେତ ପାନୀୟ ଜଳ, ପରିମଳ ବ୍ୟବସ୍ଥା, ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥାର ତୁରନ୍ତ ସମାଧାନ କରିବାକୁ ପୁରୀ ପୌର ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ପୁରୀର ପୂର୍ବତନ କାଉନସିଲର ମାନେ।