ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଗସ୍ତରେ 5t ସଚିବ ଭି.କେ ପାଣ୍ଡିଆନ୍ । ପୁରୀ ଗସ୍ତରେ ଆସି ଲୋକମାନଙ୍କ ଅଭିଯୋଗର ସିଧାସଳଖ ଶୁଣାଣି କରିଛନ୍ତି। ସେହିପରି ଛାତ୍ରଛାତ୍ରୀଙ୍କ ସହିତ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା। ତେବେ ଏହି ଜନଶୁଣାଣୀରେ ଜମିଜମା ଠାରୁ ଆରମ୍ଭ କରି ପାନୀୟ ଜଳ ସମସ୍ୟା, ମିଶନ ଶକ୍ତିଙ୍କୁ ଆତ୍ମନିର୍ଭର କରିବା ପାଇଁ ଥିବା ସରକାରଙ୍କ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହ ଓଡିଶା କିଭଳି ସମୃଦ୍ଧି ପଥରେ ଯାଇପାରିବ, ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ ଅନୁଷ୍ଠିତ ସଭାରେ ସୂଚନା ଦେଇଥିଲେ। ଲୋକମାନେ 5T ସଚିବଙ୍କୁ ସିଧାସଳଖ ସମସ୍ତ ସମସ୍ୟା ବିଷୟରେ ଅବଗତ କରାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅଭିନବ ଜନଶୁଣାଣୀକୁ ସଭିଏଁ ପ୍ରଶଂସା କରିଛନ୍ତି। ପୁରୀ ତାଳବଣିଆ ଏବଂ ଭୂଦାନ ପଡିଆରେ ବିରାଟ ଜନସଭା କାର୍ଯ୍ୟକ୍ରମ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି.କେ.ପାଣ୍ଡିୟାନ ନିଜେ ଏହି ଜନସଭା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସିଧାସଳଖ ଛାତ୍ରଛାତ୍ରୀ, ମିଶନ ଶକ୍ତି ମହିଳା ଗୋଷ୍ଠୀ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତି ଓ ଅନୁଷ୍ଠାନର ଥିବା ଅଭିଯୋଗ ଗ୍ରହଣ କରିବା ସହ ଖୁବଶୀଘ୍ର ଏହାର ସମାଧାନ ନେଇ ଦେଇଛନ୍ତି ପ୍ରତିଶ୍ରୁତି। ପ୍ରଥମେ ତାଳବଣିଆ ପଡିଆରେ 5T ସଚିବ ଭି କେ ପାଣ୍ଡିଆନ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ରାଜ୍ୟ ସରକାର 5T ଅନ୍ତର୍ଗତ ରୂପାନ୍ତରିତ ସ୍କୁଲ ଓ କଲେଜରେ ଅତ୍ୟାଧୁନିକ ଶିକ୍ଷା ଭିତ୍ତିଭୂମି ବ୍ୟବସ୍ଥା ଏବଂ ଏହାଦ୍ବାରା କିଭଳି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ବଳ ହୋଇପାରିବ ସେନେଇ ଆଲୋଚନା କରିଥିଲେ।ସେହିପରି ଭୂଦାନ ପଡିଆରେ ମଧ୍ୟ ଏକ ବିରାଟ ଜନସଭା 5T ସଚିବଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି। ମିଶନ ଶକ୍ତି ମହିଳା ଗୋଷ୍ଠୀ, ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏହି ସଭାରେ ଯୋଗ ଦେଇଥିଲେ। ଲୋକଙ୍କ ସିଧାସଳଖ ସମସ୍ୟା ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ। ଯେଉଁମାନେ ଅଭିଯୋଗ ପତ୍ର ଦେଇଛନ୍ତି ଏକ ମାସ ମଧ୍ୟରେ ତାଙ୍କର ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି 5T ସଚିବ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଯେଭଳି ଲୋକଙ୍କ ସମସ୍ୟା ଶୁଣାଣି ଓ ସମାଧାନ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛନ୍ତି ତାହାକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।