ପୁରୀ(ସଂଘର୍ଷ ମିଡିଆ) : ପୁରୀର ୫ ଟି କେନ୍ଦ୍ରରେ ହବିଷ୍ୟାଳୀ ମା ମାନଙ୍କ ରହଣି ବ୍ୟବସ୍ଥା। ପୁରୀ ୨୬/୧୦ ଚଳିତ ବର୍ଷ ର ହବିଷ ବ୍ରତ ଅକ୍ଟୋବର ମାସ ୨୯ ତାରିଖରୁ ଆରମ୍ଭ ହୋଇ ଏକ ମାସ ପର୍ଯ୍ୟନ୍ତ ଚାଲିବ। ଅନଲାଇନ ମାଧ୍ୟମରେ ପଞିକରଣ କରିଥିବା ୩୦୨୪ ଜଣ ହବିଷ୍ୟାଳୀ ମା ମାନଙ୍କୁ ୫ ଗୋଟି ରହଣି କେନ୍ଦ୍ର ରେ ରଖାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଆଜି ଅପରାହ୍ନରେ ଟାଉନ ହଲ ଠାରେ ହବିଷ ବ୍ରତ କାର୍ଯ୍ୟରେ ନିୟୋଜିତ ଅଧିକାରୀ, କର୍ମଚାରୀ ଓ ସ୍ୱଛାସେବୀ ମାନଙ୍କୁ ନେଇ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ବର୍ମା ହବିଷ୍ୟାଳୀ ମାନଙ୍କର ସେବା କୁ ନିଷ୍ଠା ଓ ଧର୍ମର କାର୍ଯ୍ୟ ବୋଲି ବିବେଚନା କରି ପ୍ରତ୍ୟେକ ଦାୟିତ୍ୱ ନିର୍ବାହ ପାଇଁ ଆହ୍ୱାନ ଦେଇଥିଲେ। ହବିଷ୍ୟାଳୀ କାର୍ଯ୍ୟରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ଓ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସତର୍କ କରାଇ ଦେବା ସହ ଭଲ କାମ ପାଇଁ ପ୍ରୋତ୍ସାହିତ କରାଯିବ ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ସମସ୍ତ ଙ୍କୁ ସ୍ୱାଗତ କରି ବୃନ୍ଦାବତୀ ନିବାସ ,ଅକ୍ଷୟ ପାତ୍ର ,ବଗଲା ଧର୍ମଶାଳା ,ବାଗେଡିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପ ଠାରେ ହବିଷ୍ୟାଳୀ ମା ମାନଙ୍କର ରହଣି ର ବ୍ୟବସ୍ଥା ହୋଇଛି ବୋଲି କହିଥିଲେ। ହବିଷ୍ୟାଳୀ ଯୋଜନା ଆଧାର ରେ ବୟସ୍କା ମା ମାନେ ଏହି ବ୍ରତରେ ସାମିଲ ହେଉଛନ୍ତି । ତେଣୁ ପ୍ରଶାସନ ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇ ବାକୁ ବ୍ୟବସ୍ଥା କରିଛି।ଏହାକୁ ସମ୍ମିଳିତ ଭାବେ ସଫଳ କରିବା ବୋଲି ସେ କହିଥିଲେ। ସେମାନଙ୍କର ସୁରକ୍ଷିତ ରହଣି, ସୁରକ୍ଷା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ,ପାଲା ଇତ୍ୟାଦି ବ୍ୟବସ୍ଥା, ଚିକିତ୍ସା, ପରିମଳ,ପାନୀୟ ଜଳ, ନରେନ୍ଦ୍ର ରେ ସ୍ନାନ ବ୍ୟବସ୍ଥା, ସ୍ୱଛାସେବୀ ସହଯୋଗ ଇତ୍ୟାଦି ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାକୁ ସୁ ନିୟନ୍ତ୍ରିତ କରିବାକୁ ନୋଡାଲ ଅଧିକାରୀ, ବରିଷ୍ଠ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ମା ମାନଙ୍କୁ ଠାକୁର ଦର୍ଶନ ସମୟରେ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଆରକ୍ଷୀ ବିଭାଗ ଓ ସ୍ୱଛାସେବୀ ମାନେ ସମନ୍ୱୟ ରଖି କାର୍ଯ୍ୟ କରିବେ। ଏହି କାର୍ଯ୍ୟ ଏକ ବ୍ୟାପକ ଓ ଏକ ମାସ ଧରି କରିବା ର ଆବଶ୍ୟକତା ଥିବାରୁ ବିଭାଗ ବିଭାଗର କର୍ମଚାରୀ ଓ ସ୍ୱଛାସେବୀ ମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଉଛି।ତେଣୁ ଏହି କାର୍ଯ୍ୟକୁ ପାରସ୍ପରିକ ସମନ୍ବୟ ରଖି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ କୈଳାସ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ଏସ ପି ଦେବବ୍ରତ କର ଉପଜିଲ୍ଲାପାଳ ଭବତାରଣ ସାହୁ,ସି ଡି ଏମ ଓ ଡା ସୁଜାତା ମିଶ୍ର ,ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ରଶ୍ମି ରଞ୍ଜନ ସାହୁ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ରାକେଶ କୁମାର ପଣ୍ଡା, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ , କର୍ମଚାରୀ,ସ୍ୱଛାସେବୀ, ଆଶା ଓ ଅଙ୍ଗନବାଡି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ।