ପୁରୀ(ସଂଘର୍ଷ ମିଡିଆ) : – ପୁରୀର ମାଟି ତୋଟା ମୌଜାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିକୁ ବେଆଇନ୍ ଭାବେ ଜବରଦଖଲ ଏବଂ କିଣା ବିକା ହୋଇଥିବା ଜମି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ସରକାରୀ ଜମିକୁ ଯିଏ ବି ଜବରଦଖଲ କରୁ ଏବଂ ବେଆଇନ୍ ଭାବରେ କିଣାବିକା କରୁ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜ୍ୟ ସରକାର ବିକାଶମୂଳକ କାର୍ଯ୍ୟ ପାଇଁ ବଦ୍ଧ ପରିକର ଥିବାବେଳେ ଏଥିପାଇଁ ଅନେକ ଜମିର ଆବଶ୍ୟକତା ରହିଛି। ସେହିପରି ପୁରୀରେ ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପ ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଅନେକ ଜମିର ଆବଶ୍ୟକତା ରହିଛି। ଏଣୁ ସରକାରୀ ଜମି ହେଉ ଅବା ମହାପ୍ରଭୁଙ୍କ ଜମି ଯେଉଁମାନେ ବେଆଇନ୍ ଭାବେ ଜବରଦଖଲ କରିଥିବେ ଅବା କିଣାବିକା କରିଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ସହ ଜମି ଗୁଡିକୁ ମଧ୍ୟ ଉଦ୍ଧାର କରାଯିବ। ସେପଟେ ପୁରୀ ବାସେଳୀ ସାହି ଥାନା ମାଟି ତୋଟା ମୌଜାରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୬୪ ଏକର ଜମି ବେଆଇନ୍ ଭାବେ ପ୍ଲଟିଙ୍ଗ କରି ବିକ୍ରି କରାଯିବା ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୭ ଜଣଙ୍କ ନାଁ ରେ ଥାନାରେ ମାମଲା ରୁଜୁ କରାଯାଇଛି। ଏଥିସହିତ ଘଟଣାର ତଦନ୍ତ କରୁଥିବା ଅଧିକାରୀ ଙ୍କୁ ସମସ୍ତ ତଥ୍ୟ ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରାଯାଇଛି। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସୂଚନା ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଏବଂ ପୁରୀ ତହସିଲଦାର ମିଳିତ ଭାବେ ଘଟଣାସ୍ଥଳ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଆଇନ ଅନୁଯାୟୀ କିଭଳି ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଘର ଉଛେଦ ସହ ମହାପ୍ରଭୁଙ୍କ ଜମିକୁ ସୁରକ୍ଷା ଯୋଗାଇ ଦିଆଯିବ ସେନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।