ପୁରୀ(ସଂଘର୍ଷ ମିଡିଆ) : – ଆଉ ଅଳ୍ପ ଦିନ ଭିତରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ଏଥି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦେଶ ଅନୁଯାୟୀ ସବୁ ଜିଲାରେ ଆରଂଭ ହୋଇଗଲାଣି ପ୍ରସ୍ତୁତି। ନିର୍ବାଚନକୁ ଅବାଧ, ନିରପେକ୍ଷ, ତ୍ରୁଟି ବିହୀନ କରିବା ପାଇଁ ଆରଂଭ ହୋଇଚି ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ବୁଥରେ ନିୟୋଜିତ ହେବାକୁ ଥିବା ପ୍ରିଯାଇଡ଼ିଂ ଅଫିସର, ପୋଲିଂ କର୍ମଚାରିଙ୍କୁ ଆରଂଭ ହୋଇଚି ଟ୍ରେନିଂ। ପୁରୀ ଜିଲ୍ଲାରେ ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରଂଭ ହୋଇଛି। ପୁରୀ ବିଧାନସଭା ଆସନ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ପ୍ରିଯାଇଡିଂ ଅଫିସର, ପୋଲିଂ କର୍ମଚାରିଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପୁରୀର ଏସସିଏସ କଲେଜ, ବିଶ୍ବମ୍ବର ବିଦ୍ୟାପୀଠରେ ଏହି ଟ୍ରେନିଂ ଦିଆଯାଇଛି । ପର୍ଯ୍ୟାୟ କ୍ରମେ ପୁରୀ ଜିଲା ମୋଟ 6 ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ଟ୍ରେନିଂ ଦିଆଯିବ। ଜିଲା ପ୍ରଶାସନର ସୁଚନା ଅନୁଯାୟୀ 15ରୁ 18 ତାରିଖ ଯାଏ 4 ଦିନ ଧରି ପୁରୀ ଜିଲାରେ ଏହି ଟ୍ରେନିଂ ଦିଆଯିବ। ଭିଭିପ୍ୟାଟ, କଣ୍ଟ୍ରୋଲ ୟୁନିଟ, ବାଲାଟ ୟୁନିଟକୁ କିଭଳି ବ୍ୟବହାର କରିବେ,ବୁଥରେ କିଭଳି ଭୋଟ ଗ୍ରହଣ କରାଯାଏ, କୌଣସି ବୈଷୟିକ ତ୍ରୁଟି ହେଲେ କାହାକୁ ଅବଗତ କରାଇବେ, କୌଣସି ସମସ୍ୟା ହେଲେ କିଭଳି ପରିସ୍ଥିତର ମୁକାବିଲା କରିହେବ ସେ ନେଇ ଟ୍ରେନିଂ ଦିଆଯାଇଛି। ପ୍ରଶିକ୍ଷଣ ଦେବା ପାଇଁ ମାଷ୍ଟର ଟ୍ରେନରଙ୍କୁ ନିୟୋଜିତ କରଯାଇଛି। ପ୍ରଥମ ଥର ପାଇଁ ନିର୍ବାଚନ ରେ ନିୟୋଜିତ ହୋଇଥିବା ପ୍ରିଯାଇଡିଂ ଅଫିସର, ପୋଲିଂ ଅଧିକାରୀଙ୍କୁ ଟିକିନିଖି କରି ଭୋଟ ଗ୍ରହଣ ପ୍ରକ୍ରିୟା, ନିୟମାବଳୀ ସମ୍ପର୍କରେ ବିସ୍ତୃତ ଭାବେ ସୁଚନା ଦିଆଯାଇଛି। ତେବେ ସୁଚନା ଅନୁଯାୟୀ ପୁରୀ ଜିଲ୍ଲାରେ 6 ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଚି। କାକଟପୁର, ନିମାପଡା, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ମୋଟ 6 ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଚି ପୁରୀ ଜିଲ୍ଲାରେ। 2024 ଜାନୁଆରୀ 5 ତାରିଖ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲାରେ ମୋଟ 6 ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 1598 ଟି ବୁଥ ରହିଚି। ପୁରୀ ଜିଲ୍ଲାରେ ମୋଟ ପୁରୁଷ ଭୋଟର୍ 7ଲକ୍ଷ15 ହଜାର 7ଶହ 33 ରହିଚି। ସେହିପରି ମହିଳା ଭୋଟର୍ ଙ୍କ ସଂଖ୍ୟା ମୋଟ 6 ଲକ୍ଷ 74ହଜାର 4ଶହ 69 ରହିଚି । ଅନ୍ୟ ଭୋଟର 80 ଜଣ ରହିଛନ୍ତି । ପୁରୀ ଜିଲ୍ଲାର ମୋଟ ଭୋଟରଙ୍କ ସଂଖ୍ୟା 13 ଲକ୍ଷ 90 ହଜାର 282 ରହିଚି।