ପୁରୀ(ସଂଘର୍ଷ ମିଡିଆ) : – ରିପ୍ କରେଣ୍ଟ ନେଲା ଜଣେ ପର୍ଯ୍ୟଟକଙ୍କ ଜୀବନ। ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ଅର୍ଚ୍ଚିତ୍ ବାନାର୍ଜୀ। ଆଜି ସକାଳେ ଅର୍ଚ୍ଚିତ୍ ନିଜ ପରିବାର ସହ ବଳିଆପଣ୍ଡା ଲାଇଟ୍ ହାଉସ୍ ନିକଟ ବିର୍ଲା ଗେଷ୍ଟ ହାଉସ୍ ସମ୍ମୁଖ ବେଳାଭୂମିରେ ଗାଧୋଉଥିଲେ। ତେବେ ସେହି ସମୟରେ ସେ ରିପ୍ କରେଣ୍ଟରେ ପଡ଼ିଯିବାରୁ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ। ପରିବାର ଲୋକେ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଥିବା କାଳୀ ମା ଲାଇଫ ଗାର୍ଡ ଆସୋସିଏସନ୍ ର ଲାଇଫ ଗାର୍ଡ ମାନେ ସମୁଦ୍ର ଭିତରକୁ ଯାଇ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ପ୍ରାୟ ଅଧଘଣ୍ଟା ପରେ ଅର୍ଚ୍ଚିତ୍ କୁ ଲାଇଫ ଗାର୍ଡ ମାନେ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଗତକାଲି ଦଶହରା ଅବସରରେ ଅର୍ଚ୍ଚିତ୍ ପୁରୀ ବୁଲିବାକୁ ଆସିଥିବା ବେଳେ ଆଜି ତାଙ୍କର ଏଭଳି ମୃତ୍ୟୁକୁ ନେଇ ପରିବାର ଲୋକେ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଅନ୍ୟପଟେ ସମୁଦ୍ରରେ ସ୍ନାନ କରୁଥିବା ପର୍ଯ୍ୟଟକଙ୍କୁ ସଚେତନ କରାଇବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ସାଇନେଜ୍ ଲଗାଯାଇନଥିବା ବେଳେ ପର୍ଯ୍ୟାପ୍ତ ଲାଇଫ ଗାର୍ଡ ନଥିବାରୁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ଅଭିଯୋଗ କରିଛି କାଳୀ ମା ଲାଇଫ ଗାର୍ଡ ଆସୋସିଏସନ୍।
Get real time updates directly on you device, subscribe now.