ଗଜପତି(ସଂଘର୍ଷ ମିଡିଆ ) : -ଗଜପତି ଜିଲ୍ଲାରେ ଥିବା ଏକମାତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିଶାନ ସାଲୋମର 29 ତମ ଶିଶୁକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ପଶ୍ଚିମବଙ୍ଗ ରାଜ୍ୟର ହୁଗୁଳି ଜିଲ୍ଲାର ଗୋଟିଏ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ଗତ ଲକଡାଉନ ଓ ସଟ ଡାଉନ ସମୟରେ ଜିଲ୍ଲାର ବିଭିନ୍ନ ଜାଗାରୁ ପରିତ୍ୟକ୍ତ ଏବଂ ସମର୍ପିତ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ଜିଲ୍ଲାରେ ଥିବା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖାଯାଇ ସେମାନଙ୍କର adoption ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ଼ କରାଯାଇଥିଲା।ପରବର୍ତ୍ତୀ ମୁହୂର୍ତ୍ତରେ ଶିଶୁଟିକୁ ଶିଶୁ ମଙ୍ଗଳ ସମିତି, ଗଜପତି ଆଇନତହ ମୁକ୍ତ ଭାବେ ଘୋଷଣା କରି ପୋର୍ଟାଲ ମାଧ୍ୟମରେ ସମସ୍ତଙ୍କୁ ଜଣାଇ ଥିଲେ।ଯାହା ଦ୍ୱାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତିଙ୍କ ପାଖକୁ ଯାଇ ପାରିବ। ତିନି ବର୍ଷ ଧରି ଏକ ପୁତ୍ର ସନ୍ତାନ ପାଇଁ ଅନ ଲାଇନ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଦମ୍ପତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ। ଉପରୋକ୍ତ ଦମ୍ପତି ଶାରିରୀକ ଭାବେ ଶିଶୁକୁ ପସନ୍ଦ କରି ନେବା ପାଇଁ ସ୍ଥିର କରିଥିଲେ।ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଗଜପତି ପ୍ରସ୍ତୁତ କରିଥିଲେ।ପରବର୍ତ୍ତୀ ମୁହୂର୍ତ୍ତରେ ସମସ୍ତ ଦସ୍ତାବିଜକୁ ଜିଲ୍ଲା ପାଳ ଯାଞ୍ଚ କରିବା ପରେ ଶିଶୁଟିକୁ ପଶ୍ଚିମବଙ୍ଗ ର ଦମ୍ପତିଙ୍କୁ ହସ୍ତାନ୍ତର କରିଦିଆ ଯାଇଥିଲା।ଏହି ଶିଶୁଟି ପୁତ୍ର ସନ୍ତାନ ହୋଇଥିବା ବେଳେ ଏହାର ବୟସ ଏକ ବର୍ଷ ହୋଇଥିଲା। ଶିଶୁଟିକୁ ପାଇ ଦମ୍ପତି ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇ ଥିଲା।ହସ୍ତାନ୍ତର ସମୟରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ,ଶିଶୁ ମଙ୍ଗଳ ସମିତିର ସଭ୍ୟ ହୀରଣ୍ୟ ରାୟ, ନିଶାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର୍ଯ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।