ପୁରୀ(ସଂଘର୍ଷ ମିଡିଆ) : – କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତଥା ଆଜି ପଞ୍ଚୁକର ଦ୍ୱିତୀୟ ଦିନରେ ଆଜି ମହାପ୍ରଭୁ ବାଙ୍କଚୁଡ଼ା ବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ଖୁଣ୍ଟିଆ, ମେକାପ ଓ ପୁଷ୍ପାଳକ ସେବାୟତ ମାନେ ଶ୍ରୀଜୀଉଙ୍କୁ ଏହି ଦୁର୍ଲଭ ବେଶରେ ସଜ୍ଜିତ କରିଥିଲେ। କିମ୍ବଦନ୍ତି ଅନୁଯାୟୀ ଭକ୍ତ ଅକୃର ଶ୍ରୀକୃଷ୍ଣଙ୍କୁ ମଥୁରା ନେବାପାଇଁ ଗୋପପୁରକୁ ଆସି ଏହି ବେଶରେ ଦର୍ଶନ କରିଥିଲେ। ଏଣୁ ଏହାର ସ୍ମୃତି ସ୍ୱରୁପ ଏହି ବେଶ ପଞ୍ଚୁକର ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହେଉଅଛି। ଏହି ବେଶରେ ମହାପ୍ରଭୁଙ୍କର ମସ୍ତକର ଦକ୍ଷିଣ ପାର୍ଶ୍ୱରେ ସୁନାକିଆ ଶୋଭା ପାଇଥାଏ। ବାଙ୍କଚୂଡ଼ା ବେଶ ଦର୍ଶନରେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ୱାସ ଥିବାରୁ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି। ପଞ୍ଚୁକ ବ୍ରତ ପାଳନ କରିବା ପାଇଁ ଏବେ ଶ୍ରୀମନ୍ଦିର ସହ ପୁରୀର ବିଭିନ୍ନ ମଠ, ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡ଼ିକରେ ଭକ୍ତଙ୍କର ପ୍ରବଳ ଭିଡ଼ ଲାଗି ରହିଛି। ହବିଷ୍ୟାଳୀ ମାନେ ପଞ୍ଚୁକ ବ୍ରତକୁ ଅତି ନିଷ୍ଠାର ସହ ପାଳନ କରୁଛନ୍ତି। ଯେଉଁମାନେ କାର୍ତ୍ତିକ ବ୍ରତ ପାଳନ କରିପାରିନାହାନ୍ତି ସେମାନେ ପଞ୍ଚୁକ ପାଳନ କରି ପୁଣ୍ୟ ଅର୍ଜନ ପାଇଁ ମହାପ୍ରଭୁ ଙ୍କ ଶରଣାପନ୍ନ ହୋଇଛନ୍ତି। ତେଣୁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀ ମାନଙ୍କ ସମାଗମ ଲାଗି ରହିଥିବା ବେଳେ ରାଜ୍ୟର କୋଣ ଅନୁକୋଣରୁ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ଏକାଠି ହୋଇଛନ୍ତି। ପଞ୍ଚୁକ ବ୍ରତର ଦ୍ୱିତୀୟ ଦିନରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ୱେଛାସେବୀ ଅନୁଷ୍ଠାନ ଓ ପୋଲିସ ହବିଷ୍ୟାଳୀମାନଙ୍କୁ ଶ୍ରୀମନ୍ଦିର ନେବା ଆଣିବାରେ ସହଯୋଗ ମଧ୍ୟ କରୁଛନ୍ତି। ମହାପ୍ରଭୁଙ୍କ ଯେଭଳି ସମସ୍ତ ନୀତିକାନ୍ତି ସୂଚାର ରୂପେ ହୋଇପାରିବ ଶ୍ରୀ ମନ୍ଦିର ପ୍ରଶାସନ ଓ ସେବାୟତ ମାନେ ତତ୍ପର ରହିଛନ୍ତି। ଆସନ୍ତାକାଲି ତ୍ରୟୋଦଶୀ ତିଥିରେ ଭକ୍ତ ମାନଙ୍କୁ ମହାପ୍ରଭୁ ତ୍ରିବିକ୍ରମ ବେଶରେ ଦର୍ଶନ ଦେବେ । ତେବେ ଚଳିତ ବର୍ଷ ତିଥି କ୍ଷୟ ଯୋଗୁଁ ଲକ୍ଷ୍ମୀନୃସିଂହ ବେଶ ନୀତି ଅନୁଷ୍ଠିତ ହେବ ନାହିଁ। କାର୍ତ୍ତିକ ପୁର୍ଣ୍ଣମୀରେ ରାଜରାଜେଶ୍ଵର ବା ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ। ତେଣୁ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି କରାଯାଇଛି। ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, କାର୍ତ୍ତିକ ପୂର୍ଣ୍ଣିମା ଦିନ ମହାପ୍ରଭୁ ରାଜ ରଜେଶ୍ଵର ବେଶ ଅନୁଷ୍ଠିତ ହେବ। କିଭଳି ଶୃଙ୍ଖଳିତ ନିତିକନ୍ତି ହେବ ସେ ନେଇ ପୁର୍ବରୁ ଚୁଡାନ୍ତ ହୋଇ ସାରିଛି। ତେବେ ପଞ୍ଚୁକରେ କିଭଳି ଶୃଙ୍ଖଳିତ ନିତିକାନ୍ତି ହୋଇ ପାରିବ, ସେବାୟତଙ୍କ ଭିତରେ ବାଦ ବିବାଦ ନ ହେବ ସେ ନେଇ ଶ୍ରୀ ମନ୍ଦିର ପ୍ରଶାସନର ଅଧିକାରି ନଜର ରଖିଛନ୍ତି। ଭକ୍ତ ଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବଡଦାଣ୍ଡରର ମରିଚିକୋଟ ଛକରୁ ବ୍ୟାରିକେଡ଼ ବ୍ୟବସ୍ଥା ହୋଇଚି। ଏଣୁ ଆମେ ଆଶା କରିଚୁ ଭକ୍ତ ମାନେ ଭଲରେ ଦର୍ଶନ କରିବା ସହ ଭଲ ରେ ମହାପ୍ରସାଦ ସେବନ କରିପାରିବେ। ଭକ୍ତ ଙ୍କ ସୁବିଧା ପାଇଁ ବ୍ୟାରିକେଡ଼ରେ ଫ୍ୟାନର ବ୍ୟବସ୍ଥା, ପାନୀୟ ଜଳ, ଭକ୍ତଙ୍କ ଉପରୁ ଗରମ ସମୟ ରେ ଜଳ ସିଞ୍ଚନ ବ୍ୟବସ୍ଥା ସହିତ ସୁରକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା ହେଇଚି। ତେବେ କାର୍ତ୍ତିକ ମାସ ପରେ ଶ୍ରୀ ମନ୍ଦିରରେ ନୁଆ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ନୁଆ ପରିଚାଳନା କମିଟି ଗଠନ ପରେ ଏହାର ଅନୁମୋଦନ କରାଯିବ। ଏହାର ରୂପରେଖ ପ୍ରସ୍ତୁତି ସରିଛି। ନୁଆ ପରିଚାଳନା କମିଟି ଆସିବା ପରେ ନୁଆ ଦର୍ଶନ ବ୍ୟବସ୍ଥାକୁ ଅନୁମୋଦନ କରିବା ପରେ ଆମେ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଆଗେଇବୁ।