ପୁରୀ(ସଂଘର୍ଷ ମିଡିଆ) : – ନେତପିଲା ପୁରୀ ଶ୍ରୀ ମନ୍ଦିରର ସେବାୟତ ସମ୍ପ୍ରଦାୟର ଏକ ବିଶେଷ ପର୍ବ। ଶାରଦୀୟ ପୂଜା ଅବସରରେ ସେବାୟତ କୂଳର କୁମାରୀ କନ୍ୟା ମାନେ ପାରମ୍ପରିକ ବେଶ ଓ ଅଳଙ୍କାରରେ ଭୂଷିତ ହୋଇ ପୂଜାର୍ଚ୍ଚନା କରିଥାନ୍ତି। ଉତ୍ତମ ବର ପ୍ରାପ୍ତି ପାଇଁ ହରପାର୍ବତୀଙ୍କ ବ୍ରତ ପାଳନ ସହିତ ନିଜ ସମ୍ପର୍କିୟ ଓ ବନ୍ଧୁବାନ୍ଧବଙ୍କ ଘରକୁ ବୁଲିଯିବାର ବିଧି ରହିଛି।ଶ୍ରୀମନ୍ଦିରର ସେବାୟତ ସମ୍ପ୍ରଦାୟରେ ନେତପିଲା ଏକ ସ୍ୱତନ୍ତ୍ର ପର୍ବ ଭାବେ ପାଳନ କରାଯାଏ। ଶହ ଶହ ବର୍ଷ ପୂର୍ବରୁ ପାଳିତ ହୋଇ ଆସୁଥିବା ଏହି ପର୍ବ ଏବେ ମଧ୍ୟ ସେବାୟତ ପରିବାର ଗୁଡ଼ିକରେ ପରମ୍ପରା ମୁତାବକ ଚାଲି ଆସୁଛି। ଉତ୍ତମ ବର ପ୍ରାପ୍ତି ପାଇଁ ଏହି ସେବାୟତ କୁଳର କିଶୋରୀ କନ୍ୟାମାନଙ୍କୁ ବିଭିନ୍ନ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ପରିବାର ଲୋକେ ବେଶ ସୁନ୍ଦର ଭାବେ ଆଭୂଷଣ କରିଥାନ୍ତି। ଏହାପରେ ମାର୍କଣ୍ତ ପୁଷ୍କରଣୀ ଠାରେ ଏହି ପୂଜାର୍ଚ୍ଚନା କରାଯାଇଥାଏ। ହରପାର୍ବତୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ୨୧ଦିନ ଧରି ବଳି ପୂଜା କରିଥାନ୍ତି ଏହି କନ୍ୟାମାନେ। ଏହି ୨୧ଦିନର ଶେଷ ୪ଦିନ ପାରମ୍ପରିକ ବେଶ ସହ ବିଭିନ୍ନ ଅଳଙ୍କାରରେ ନିଜକୁ ସଜାଇଥାନ୍ତି ଏହି ନେତପିଲା ମାନେ। ପାରମ୍ପରିକ ବେଶରେ ମାର୍କଣ୍ତ ପୁଷ୍କରିଣୀକୁ ଯାଇ ପୁଷ୍କରିଣୀ କୁଳରେ ବସି ବଡ଼ ନିଷ୍ଠାର ସହିତ ପୂଜାର୍ଚ୍ଚନା କରିଥାନ୍ତି। ଏହି ଅବସରରେ ସେମାନେ ବଳିଗୀତ ଗାନ କରିବାର ମଧ୍ୟ ପରମ୍ପରା ରହିଛି। ଆଶ୍ୱୀନ ମାସର ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ତିଥିରେ ଏହି ପର୍ବକୁ ପାଳନ କରାଯାଏ। ସ୍ୱତନ୍ତ୍ର ଆଭୂଷଣ ଏବଂ ବସ୍ତ୍ରରେ ଭୂଷିତ ହୋଇ ନେତ ପିଲାମାନେ ବିଭିନ୍ନ ପ୍ରକାର ଫଳ, ପାଣିକଖାରୁ, ଜହ୍ନି, ପରିବା ଓ ଗୁଆ ଆଦି ଅର୍ପଣ କରି ପୂଜା କରଥାନ୍ତି। କନ୍ୟା ମାନେ ଏହି ବେଶ ଭୂଷାରେ ସେମାନଙ୍କ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବ ମାନଙ୍କ ଘରକୁ ବୁଲି ଯାଇଥାନ୍ତି। ଏହି ପର୍ବ ଅବସରରେ ସେବାୟତ ମାନଙ୍କ ଘର ଗୁଡ଼ିକ ଉତ୍ସବ ମୁଖର ହୋଇ ଉଠିଥାଏ। କାହିଁ କେଉଁ କାଳରୁ ଶ୍ରୀକ୍ଷେତ୍ରରେ ଏଭଳି ନିଆରା ପରମ୍ପରା ପାଳିତ ହୋଇ ଆସୁଛି ସେବାୟତଙ୍କ କୂଳରେ। ମା ପାର୍ବତୀ ଶିବଙ୍କୁ ପାଇବା ଉଦ୍ଦେଶ୍ୟରେ ଏହି ପୂଜା କରିବାର କିମ୍ୱଦନ୍ତି ରହିଥିବାରୁ ଏହାକୁ ଅନୁସରଣ କରି ଶିବଙ୍କ ଭଳି ସ୍ୱାମୀ ପାଇବା ଉଦ୍ଦେଶ୍ୟରେ ନେତପିଲା ଏହି ପର୍ବ ପାଳିନ କରିଥାନ୍ତି ବୋଲି ବିଶ୍ୱାସ ରହିଛି।