ନବରଙ୍ଗପୁର (ସଂଘର୍ଷ ମିଡିଆ ) : :- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ତହସିଲ ଅଧିନସ୍ତ ଜଟାବାଲ ଗ୍ରାମ ରାସ୍ତା କଡ଼ରେ ଥିବା ସରକାରୀ ଓ ଜଙ୍ଗଲ ଜମି ଉପରେ ଜବରଦଖଲ କରି କିଛି ଦୋକାନ ଏବଂ ବଡ଼ବଡ଼ ଘର ମାନ ତିଆରି କରାଯାଇଥିଲା । ଫଳରେ ଗତ କିଛି ଦିନ ହେଲା ଏହି ରାସ୍ତାରେ ଘୋର ଟ୍ରାଫିକ ସମସ୍ୟା ଉପୁଜୁଥିବା ସଙ୍ଗେ ବିଭିନ୍ନ ସମୟରେ ଜମିଜୁମା ବିବାଦ କୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିରହୁଥିଲା । ଏହି ରାସ୍ତା କଡ଼ରେ କିଛି ବ୍ୟବସାୟୀ ନିଜର ବ୍ୟବସାୟ ନିମନ୍ତେ ଟିଣ ଘର ତିଆରି କରି ବ୍ୟବସାୟ କରୁଥିଲେ । ହେଲେ ଉକ୍ତ ରାସ୍ତା କଡ଼ରେ ଥିବା ଜମି ଗୁଡ଼ିକ ସରକାରୀ ଜମି ହୋଇଥିବାରୁ ଉକ୍ତ ସ୍ଥାନରୁ ଘର ଭାଙ୍ଗିବା ପାଇଁ କିଛିଦିନ ତଳେ ନୋଟିସ୍ ଜାରି କରିଥିଲା ପାପଡାହାଣ୍ଡି ତହସିଲ ପ୍ରଶାସନ । ବାରମ୍ବାର ନୋଟିସ୍ ଜାରି କଲା ସତ୍ବେ ରାସ୍ତା କଡ଼ରୁ ଖାଲି କରିନଥିଲେ ଘର ମାଲିକ ଏବଂ ଦୋକାନ ମାଲିକ ମାନେ । ଏହାପରେ ଜବର ଦଖଲ ଜମିଗୁଡିକୁ ଉଛେଦ କରିବା ପାଇଁ ଆକ୍ସନ୍ ମୁଡ଼ରେ ଚାଲି ଆସିଥିଲା ତହସିଲ ପ୍ରଶାସନ । ପାପଡାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇ , ଅତିରିକ୍ତ ତହସିଲଦାର ମଧୁସୂଦନ ମାଝୀ , ଜଟାବାଲ ରାଜସ୍ୱ ନିରୀକ୍ଷକ ପଦଲାମ ନାୟକ,ଅମିନ- ଧିରେନ ନାୟକ,ପିଅନ୍-ଦେବ ସିଂ ଗଣ୍ଡା, ଏବଂ ପାପଡାହାଣ୍ଡି ପୋଲିସ ପ୍ରଶାସନ ତରଫରୁ କର୍ମ ଚାରି ସୁନିତା ତ୍ରିପାଠି,ମହେନ୍ଦ୍ର ବିଷୋୟୀ ଓ ହରିସ୍ ସାହୁ ପ୍ରମୁଖ ଙ୍କ ଉପସ୍ଥିତରେ ଜେସିବି ମେସିନ ମାଧ୍ୟମରେ ବେନିୟମ ଭାବରେ ତିଆରି କରାଯାଇଥିବା ଦୋକାନ ଓ ଘର ଗୁଡିକୁ ଭଙ୍ଗା ଯାଇଥିଲା । ପାଖାପାଖି ଏକ ଏକର ରୁ ଉର୍ଦ୍ଧ ବେଆଇନ ଜବର ଦଖଲ ଜମିକୁ ଉଛେଦ କରାଯାଇଥିବା ସୂଚନା ଦେଇଛନ୍ତି ପାପଡାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇ । ଏହି ରାସ୍ତାର ଉଭୟ ପାର୍ଶ୍ଵରେ କେତକ ଗରିବ ଶ୍ରେଣୀର ଲୋକେ ଦୋକାନ ଖୋଲି ନିଜର ଗୁଜୁରାଣ ମେଣ୍ଟେଉଥିବା ବେଳେ ସେମାନେ ଏବେ ବେଶ୍ ଚିନ୍ତାରେ ପଡିଯାଇଛନ୍ତି ।ଉଛେଦ ହେବା ଦ୍ୱାରା ରାସ୍ତା ଚଉଡା ହେବା ସହିତ ଯାତାୟତ ଦୁର୍ଘଟଣା ମୁକ୍ତ ହୋଇ ପାରିବ ବୋଲି ଜନସଧାରଣ ରେ ମତ ପ୍ରକାଶ ପାଇଛି।ପ୍ରକାଶ ଥାଉକି ଖାତା ନମ୍ବର ୫୨୦,ପ୍ଲଟ ନମ୍ବର ୭୭୧ ରେ ଥିବା ୫ ଜଣ ଓ ୭୭୩ ନମ୍ବର ରେ ଥିବା ଜଣେ ଏପରି ମୋଟ ୬ ଜଣ ଙ୍କୁ ଜବର ଦଖଲ କରି ଥିବା ଲୋକ ଙ୍କୁ ଉଛେଦ୍ କରାଯାଇ ଥିଲା। ବାଇଟ:- ଯୋଗେଶ୍ୱର ଭୋଇ ( ତହସିଲଦାର , ପାପଡାହାଣ୍ଡି )