ଦେଶୀବନ୍ଧୁକ ଓ ସୁନାଚେନ୍ ଜବତ, ୩ ଗିରଫ

13

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ ) : ଚନ୍ଦନପୁର ଥାନା ପୁଲିସ ଏକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ୍‌କୁ ଧରିଛି । ଏହି ଗ୍ୟାଙ୍ଗ୍‌ର ୩ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ କଣାସ ଥାନା ଅନ୍ତର୍ଗତ ଜଳିଆପଡ଼ା ଗ୍ରାମର ସୁଜନ ଓରଫ ସୂର୍ଯ୍ୟକାନ୍ତ ସାମନ୍ତରାୟ(୨୭), ବଳିଆପଣ୍ଡା ଶାନ୍ତି ଗେଷ୍ଟହାଉସ୍ ଲେନ୍‌ର ବାବୁନା ଓରଫ ସୁବାଷ ଦାଶ(୨୭), ବଳିଆପଣ୍ଡା ଶିବଶକ୍ତି ସାହିର ଚନ୍ଦନ ମିଶ୍ର(୨୩) । ଏମାନଙ୍କ ଠାରୁ ଗୋଟିଏ ଦେଶୀବନ୍ଧୁକ, ଗୋଟିଏ ଅଫୁଟାଗୁଳି, ୨ଟି ମୋବାଇଲଫୋନ୍‌, ଗୋଟିଏ ସ୍ମାର୍ଟୱାଚ୍‌, ୨ଟି ସୁନାଚେନ୍‌, ଗୋଟିଏ ଛୁରି, ଗୋଟିଏ ସ୍କୁଟି, ବାଇକ୍ ଚାବି ଜବତ ହୋଇଛି । ଏନେଇ ଚନ୍ଦନପୁର ଥାନା ପୁଲିସ ଏକ ମାମଲା(ନଂ-୧୫୨/୨୩) ରୁଜୁ କରି ଅଭିଯୁକ୍ତମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ସମ୍ପର୍କରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ସୁଶିଲ କୁମାର ମିଶ୍ର ସୂଚନା ଦେଇଛନ୍ତି । ଏହି ସମୟରେ ଟାଉନ ଥାନାଧିକାରୀ ଗୋକୁଳ ରଞ୍ଜନ ଦାସ, ଚନ୍ଦନପୁର ଥାନାଧିକାରିଣୀ ସୁମତୀ ମହାନ୍ତି ଉପସ୍ଥିତ ଥିଲେ । ସୂଚନା ଅନୁଯାୟୀ, କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ଜମାଣି ଗ୍ରାମର ଶିବ ପ୍ରସାଦ ମହନ୍ତ ଓ ତାଙ୍କର ଦୁଇବନ୍ଧୁ ସୁଦାମ ଖିଲାର, ଶ୍ରୀମୁଖ ସାହୁ ଜଗନ୍ନାଥ ସଡ଼କ ଦେଇ ନିରାକାରପୁର ଅଭିମୁଖେ ଯାଉଥିଲେ । ମଙ୍ଗଳବାର ଭୋର ସାଢ଼େ ୩ଟା ସମୟରେ ଜଗନ୍ନାଥ ସଡ଼କରେ ଥିବା ନରସିଂହପୁର ପେଟ୍ରୋଲପମ୍ପ ନିକଟରେ ଏହି ୩ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ସେମାନଙ୍କୁ ଅଟକାଇଥିଲେ । ପରେ ଶିବ ପ୍ରସାଦ ଓ ତାଙ୍କର ଦୁଇ ବନ୍ଧୁଙ୍କୁ ଆକ୍ରମଣ କରି ଗୋଟିଏ ମୋବାଇଲଫୋନ୍‌, ସ୍ମାର୍ଟୱାଚ୍ ଏବଂ ବାଇକ୍ ଚାବି ନେଇ ଚମ୍ପଟ ମାରିଲେ । ଏସମ୍ପର୍କରେ ଖବରପାଇ ଚନ୍ଦନପୁର ଥାନା ପୁଲିସ ସେଠାରେ ପହଞ୍ଚିଥିଲା । ଘଟଣାର ଦୁଇଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତମାନଙ୍କୁ କାବୁ କରିଥିଲା । ତଦନ୍ତ କରିବାରୁ ଜଣାପଡ଼ିଲା ଯେ ଅଭିଯୁକ୍ତମାନଙ୍କ ନାଁରେ ପୁରୀ ସମେତ ବିଭିନ୍ନ ଜିଲ୍ଲା ପୁଲିସରେ ଅପରାଧିକ ମାମଲା ରହିଛି । ଏମାନେ ଚନ୍ଦନପୁର ଅଞ୍ଚଳରେ ନିକଟ ଅତୀତରେ ୩ରୁ ୪ଟି ଛିନ୍‌ତାଇ କରିଛନ୍ତି । ଏହାପରେ ଅନ୍ୟ ଜିଲ୍ଲାକୁ ଯାଇ ମଧ୍ୟ ଲୁଟ୍‌ପାଟ କରିଥିଲେ । ସେମାନେ ପୁରୀରେ ୩ରୁ ୪ଟି ଲୁଟ୍‌ପାଟ କରିବା ପରେ ଓଡ଼ିଶା ଛାଡ଼ି କୋଲକାତା ଯିବା ପାଇଁ ଯୋଜନା କରିଥିଲେ । ତେବେ ପୁଲିସ ହାତରେ ଧରାପଡ଼ିବା ପରେ ସବୁ ଯୋଜନା ବିଫଳ ହୋଇଛି । ଏହି ଲୁଟେରା ଗ୍ୟାଙ୍ଗ୍‌କୁ ଧରିଥିବାରୁ ଚନ୍ଦନପୁର ଥାନାଧିକାରିଣୀ ସୁମତୀ ମହାନ୍ତିଙ୍କୁ ସାଧାରଣରେ ପ୍ରଂଶସା କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More